Unknown

 

 

 

 

 

 

 

 

 

 

ପ୍ରତିଲେଖ

ଚିନ୍ତାମଣି ମହାନ୍ତି

 

ଜାନକୀଙ୍କ ପ୍ରତି ରାମଚନ୍ଦ୍ର

 

ଭାଗ୍ୟଦେବୀ ଅକସାତ ପ୍ରସନ୍ନ ତା ପ୍ରତି

(ହାୟ ଯେଉଁ ଦେବୀ ତାକୁ ଏତେକାଳଯାଏଁ

ତେଜିଥିଲେ ଘୃଣାଭରେ ତାର କର୍ମଦୋଷେ ।)

 

ତବ କୃପାପତ୍ର ପ୍ରିୟେ, ବୋଳିଦେଲା ଆହା

ବିଷାଦ ବଲମ-କ୍ଷତେ ଅମୃତ ମଲମ ।

କି ଲେଖିବି ପ୍ରତିଲେଖ, କେଉଁ ମୁଖେ ଅବା,

ଦୁଷ୍କତିର ଦଗ୍‌ଧ ସ୍ମୃତି ଆଣେ ଘୋର ଲଜ୍ଜା,

ଧିକ୍କାରେ ସୂତୀବ୍ରେ ସଦା ଆତ୍ମାକୃତ ପାପ,

ନିଜକୁ ଚାବୁକାଘାତ କରେ ନିଜ ମନ ।

 

ଲେଖିବାକୁ ଅଗ୍ରସର ହେଉଛି ଯେତିକି

ଇଚ୍ଛା ମୋର, ତଡ଼ୁଅଛି ତେତିକି ପଛକୁ

କି ଏକ ସଙ୍କୋଚ ଭାବ ପ୍ରବଳେ ତାହାକୁ,

ଯଥା ରାଜଦର୍ଶନାର୍ଥି-ଅପରାଧି-ଜନେ

ତଡିଦିଏ ଦୌବାରିକ ଗଳଥା ପ୍ରଦାନି,

ଅଥବା ସମାଜ ଯଥା ସ୍ୱଦେଶଦ୍ରୋହୀକୁ ।

 

ତୁମ୍ଭେ ସତୀସେବ୍ୟା ମହାସତୀ, ମୁଁ ତୁମ୍ଭର

ଅକିଞ୍ଚନ, ଅଭାଜନ, ଅତ୍ୟାଚାରୀ ପତି,

ଅଦୋଷେ ପେଷିଲେ ବନେ, ଅନାଥିନୀ କରି

ଭିତ୍ତିହୀନ ସତ୍ୟ- ଶୁନ୍ୟ ବ୍ୟର୍ଥ ଅପବାଦେ,

ଧିକ୍‌ ମୁଁ ପାମର, ଯାହା ତୁମ୍ଭଠାରୁ ବଳି

ମଣିଲି ଲୋକାପବାଦ ଭୟେ ମୁଲ୍ୟବାନ,

ସୀତେ, ତୁମ୍ଭେ କ୍ଷମାବତୀ ପୁଣ୍ୟବତୀ ଦେବୀ,

 

ଏ ଦାରୁଣ ଅପମାନ, ଭୀଷଣ ଦୁର୍ଗତି

ପାସୋରି ଦୁଃସ୍ୱପ୍ନ ପ୍ରାୟ କ୍ଷମିଲ ଗୋ ମୋତେ

ଇଚ୍ଛିଥିଲେ ପାରିଥାନ୍ତ ଉଗ୍ର ଶାପାନଳେ

କରି ମୋତେ ଭସ୍ମୀଭୂତ, ମାତ୍ର ତା ବଦଳେ

ପ୍ରଦର୍ଶିଲେ ବହୁଗୁଣ ଭକ୍ତି ପୂର୍ବଠାରୁ,

ଚାରିତ୍ର୍ୟଦୈବତେ, ଏହା ନୁହେଁ କି ତୁମ୍ଭର

ଆଦର୍ଶ ଚରିତ୍ର-ଚିତ୍ର-ପବିତ୍ର-ମହିମା ।

 

ଗାଳିଦିଏ ପୁଷ୍ପେ ଅଳି ଗୁଣୁଗୁଣୁ ସ୍ୱରେ,

କରେ ପଦାଘାତ, ଏତେ ଉତ୍ପୀଡ଼ନସତ୍ତ୍ୱେ

 

ଉତ୍ସରେ ସ୍ୱମଧୁଟିକ ତାହାକୁ ସୁମନ ।

ଇକ୍ଷୁଦଣ୍ଡେ କେହ୍ଳୁ ଆରେ ପେଡିବ ଯେତିକି,

ତେତିକି ସେ ରସଦାନେ ଶୀତଳିବ ପ୍ରାଣ,

ଢ଼ାଳିଦିଏ ପ୍ରଭାକର ତସ୍ତକରଧାରା

ପଦ୍ମ ଅଙ୍ଗେ, ତଥାଚ ସେ ପ୍ରଭାକର-ପ୍ରାଣା ।

 

ଅମର-ଅକ୍ଷମ୍ୟ ଯେଉଁ ଗୁରୁତର ପାପ,

କ୍ଷମିଲ ସେ ପାପ ମୋର ତୁମ୍ଭେ ଅବହେଳେ

ଅମରୀ ଅସୁନ ଉଚ୍ଚ ତୁମ୍ଭର ଆସନ ।

ତାପସ-ତନୟେ, ତୁମ୍ଭେ ସ୍ୱଭାବତାପସୀ,

ଆଜନ୍ମ ସଂଯମବତୀ ମହାଧୈର୍ଯ୍ୟଶୀଳା,

ସର୍ବ ସହା, ଯଥା ତବ ମହୀୟସୀ ମାତା,

ଯେତିକି କୃଷାଣ ତାକୁ କରେ ହୁଣାମରା

ତେତିକି ପ୍ରଦାନେ ସେହୁ ରତନ କାଞ୍ଚନ ।

 

ସମ୍ଭୋଧିଛ ରାଜା ବୋଲି, ମାତ୍ର ମୋହୋ ପରି

ଅନୀତିସର୍ବସ୍ୱ ଭାଗ୍ୟେ ରାଜପଦ ସିନା

ବିଧାତାଙ୍କ କରୁଣାର ଅପବ୍ୟବହାର;

 

ଭାଗ୍ୟ ଯଦି ବିନିମିତ ହେଉଥାନ୍ତା ଭବେ,

ତେବେ ଯେ ଚଣ୍ଡାଳୁ ଊଣା, ତାହା ଭାଗ୍ୟ ସହ

ବଦଳାଇନିଅନ୍ତି ଏ ଦଗ୍‌ଧ ଭାଗ୍ୟେ ମୋର ।

 

ହୋଇପାର ତୁମ୍ଭେ ମୋର ପ୍ରଜା, ମାତ୍ର ମୋର

କ୍ଷୁଦ୍ର ହୃଦ ନିଶ୍ଚେ ତବ ରାଜସିଂହାସନ ।

କି ହେବ ଚିହ୍ନିଲେ ଦେବି, ନ ଚିହ୍ନେ କି ହାୟ

ଚନ୍ଦ୍ରିକାକୁ ଚନ୍ଦ୍ର କିମ୍ବା ଶକ୍ତିକୁ ଶରୀର ?

ମାତ୍ର ମୋର ଭାଗ୍ୟଦୋଷୁଁ ବଞ୍ଚିତ ମୁଁ ଏବେ-

ମୋର ବୋଲି କହିବାକୁ ତୁମ୍ଭଙ୍କୁ ସୁନ୍ଦରି !

 

ତଥାପି ତୁମ୍ଭେ ଯା ମୋତେ ମଣୁଛ ଆତ୍ମୀୟ,

ସେ ତୁମ୍ଭର, କୃପାମୟି, କୃପା-ନିଦର୍ଶନ ।

ଚକ୍ଷୁସତ୍ତ୍ୱେ ଅନ୍ଧ ହୋଇ ମୁଁ ମୃଢ଼ ପାମର

ନିର୍ମଳ ଚରିତ୍ରେ ତବ କଲି ଦୋଷାରୋପ,

ଏଣୁ ତବ ପୁତ ନାମ ଉଚ୍ଚାରଣେ ସତି,

ଖଟୁ ନାହିଁ ଏ ପାପୀର ତିଳେହେଁ ବହକ ।

 

କେଉଁ ସୁକୃତିରୁ ମୁହିଁ ହେଲି ତବ ପଢି,

ପୁଣି କେଉଁ ଦୁଷ୍କୃତିରୁ ହେଲ , ରାଢ଼ର

 

ପତ୍ନୀ ତୁମ୍ଭେ, ଗୁଣବତି, କେ କହିବ ତାହା ?

କି ବିଚାରେ ବିଷବୃକ୍ଷେ ଛନ୍ଦିଲା ବିଧାତା

ଚାରୁ ସ୍ୱର୍ଣ୍ଣବଲ୍ଲୀ, ତାହା ତାହାଙ୍କୁ ହିଁ ଜଣା ।

 

ସୀତେ, ତୁମ୍ଭେ ଅଯୋଧ୍ୟାର ରାଜଲକ୍ଷ୍ମୀ, ପୁଣି

ଶୋଭାଲକ୍ଷ୍ମୀ, ସରଃଲକ୍ଷ୍ମୀ ସରୋଜିନୀ ଯଥା,

ତୁମ୍ଭରି ଅଭାବେ ଏବେ ଭଜିଛି ଅଭାଗୀ

ହତଶ୍ରୀ ଅବସ୍ଥା । ତାକୁ ଛାଡିଲ ଯେ କାଳେ

 

ତୁମ୍ଭେ, (ମୋର ସୁକଠୋର ନିର୍ମମ ଆଦେଶ)

ବହିଲା ସେକାଳେ ଘୋର ବିଷାଦ-ଝଟିକା,

ବିସର୍ଜି ଆହାର ପାନ ଝୁରିଲା ନଗରୀ,

ହସ୍ତିଶାଳେ ହସ୍ତିଗଣ କାନ୍ଦିଲେ ବିକଳେ,

 

ଅଶ୍ୱେ ମନ୍ଦୁରାରେ, ପକ୍ଷୀ ପିଞ୍ଜରେ, ଶାଖାରେ

କାନ୍ଦିଲେ ନୀରବେ ଆହା ଆକାଶ ପାତାଳ,

କାନ୍ଦିଲେ ଭାସ୍କର, ଆମ୍ଭ କୁଳ ଅଧିଦେବ

ବୃଷ୍ଟିଧାରା ବ୍ୟାଜେ, ହାୟ ସୃଷ୍ଟିଚରାଚର

ଧରିଲା ଯେସନ ଦୀକ୍ଷା ଶୋକ-ଗୁରୁଠାରୁ ।

 

ସକଳେ ମୋ ପ୍ରତି ଯେହ୍ନେ ପ୍ରକାଶିଲେ ଘୃଣା,

ଢ଼ାଳିଲେ ମୋ ଶିରେ ମୌନ ଅଭିଶାପ ଅଗ୍ନି,

ନୀରବ ଭର୍ତ୍ସନା-ବିଷ, ରଟିଲା ସର୍ବତ୍ର

ତୁମ୍ଭର ପ୍ରଶଂସା, ଆଉ ମୋର ନିନ୍ଦାବାଦ ।

 

ବହିଲା ସରଯୂ ସ୍ରୋତ ପ୍ରଖରେ ଉଜାଣି,

ତା ସହ ଉଜାଣି ପୁଣି ବହିଲାକ କେତେ

ଅତୀତ ସ୍ମୃତିର ସ୍ରୋତ, ଉଠିଲାକ ବାଜି

ଜୀବନ-ଯମୁନା ତୀରେ ବିଷାଦ-ମୁରଲୀ

କୋଟି ରନ୍ଧ୍ରେ, କୋଟି ସ୍ୱରେ, କି କହିବି ତାହା,

କେଉଁ ଫଳ ଅବା ଗାଇ ସେ ବିଫଳ ଗୀତି,

ଶୁଣି ତାହା ହେବ ସିନା ଅପବ୍ୟୟ ଖାଲି

ତୁମ୍ଭର ପବିତ୍ର ଅଶ୍ରୂ, ଘାଣ୍ଟିଲେ ଅନଳେ

ଅଧିକ ଉତ୍ତାପ ସିନା ଲାଗିବ ଶରୀରେ ।

 

ସକାଳେ ଆକୁଳ ଯେତେ ହେଲା ଗୋ ହୃଦୟ

ବର୍ଣ୍ଣିବାକୁ କାହିଁ ତାର ଭାବପ୍ରାଣ ଭାଷା ?

କେଉଁ ରୂପେ ହୃଦ ଯଦି ହୁଅନ୍ତା ଦେଖାଇ,

ବୁଝନ୍ତ ତା ଦେଖି ତୁମ୍ଭେ ଏ ଦୀନ କଷଣ ।

 

ତୁମ୍ଭଙ୍କୁ ଅନ୍ତର ଦେଖି ବୁଦ୍ଧିବୃତ୍ତି ଆଦି

ତେଜିଲେ ସକଳେ ମୋତେ, ହାୟ ପୂର୍ବେ ଯେବେ

ହରାଇଲି ବନବାସେ ତୁମ୍ଭଙ୍କୁ ପ୍ରେୟସି,

ସେ କାଳରେ ବଳେ ବଳେ ପାଶେ ଆସି ଆଶା

ଦେଉଥିଲା ମୁହୁର୍ମୁହୁଃ ଅଶେଷ ସାନ୍ତ୍ୱନା,

ମାତ୍ର ଏବେ ସେହୁ ସୁଦ୍ଧା ନ ପଶିଲା କତି,

 

ତେଜିଲେ ସକଳେ, ମାତ୍ର ନ ତେଜିଲା ଏକା

ଜ୍ୱଳନ୍ତ ଯନ୍ତ୍ରଣା-ସ୍ମୃତି, ଆସି ଦୂଷ୍ଟା ସଦା

ଦୂତୀରୂପେ, କ୍ଷଣେ କ୍ଷଣେ କହେ ତୁମ୍ଭ କଥା;

ଶୁଣି ତାର ସେ କରୁଣ କଠୋର ବଚନ

ମନ କର୍ଣ୍ଣେ, ନ ପାରିଲି ରଖି ଅବ୍ୟହୃତ

ଧୈର୍ଯ୍ୟ । ତହିଁ ପରେ ଆସି ଆତ୍ମକୃତ ପାପ-

 

ଭୀଷଣ ମୁରତି, ରୋଷ-କଷାୟିତ-ନେତ୍ରେ

ଦେଖାଇ ତଜନୀ ଗର୍ଜି ତର୍ଜିଲା ବିସ୍ତର;

ଘାରିଲା ଆପଣା ବିଷ ଆପଣା ଶରୀରେ,

ଭାବିଲି ମୋ ସାତକର ଯୋଗ୍ୟ ପ୍ରାୟଶ୍ଚିତ୍ତ

କି ଅଛି ବ୍ୟବସ୍ଥା-ଶାସ୍ତ୍ରେ, ମୃତ୍ୟୁ ଭିନ୍ନ ଆଉ ?

 

କେତେ ଯେ ସାଧିଲି ତହୁଁ ମୃତ୍ୟୁକୁ କାତରେ

କର ଯୋଡି, ସବିନୟେ ମାଗିଲି ଶରଣ,

ମାତ୍ର କି କହିବି ଦେବି, ଶୁଣିଲେ ଯା’ ନାମ

କମ୍ପିଉଠେ ଚରାଚର ବିଶ୍ୱ ଥରହରି,

ସେ ମୃତ୍ୟୁ ଡରିଲା ମୋର ସମୂତ୍କଟ ପାପେ ।

 

ବିରହ-ବେଦନା ତବ ନ ପାରିଣ ସହି

ନିର୍ମାଣିଲି ସ୍ୱର୍ଣ୍ଣସୀତା, ମାତ୍ର ସେ ଢାଳିଲା

ତୀବ୍ର ଚିତା, ଦହିଲାକ ହୃଦୟ କାନନେ,

ହୋଇଥିଲା ଦହି ସେହୁ ନିର୍ମାଣ ସମୟେ

ବଣିଆ କୋହିରେ ଯଥା, ଅଗ୍ନିକୁଣ୍ଡେ ବୁଡି;

ଫୁଟାଇ ସେ ସ୍ମୃତି-ପୋଥି ଗାଇଲା କରୁଣେ

ଶୋକଛନ୍ଦେ ଶୋକ ଅଧ୍ୟା, ମହା ମୌନସ୍ୱରେ ।

 

ଥାଉ ସେ ବିଗତ କଥା, କି ଲାଭ ତହିଁରେ,

ବୈଶାଖ ପଞ୍ଜିକା ପୃଷ୍ଠା ଜୈଷ୍ଠେ ଓଲଟାଇ

ମିଳିବ କି ଫଳ, ଖାଲି ବ୍ୟର୍ଥ ଶ୍ରମ ସିନା ।

ନୀରଦ ଦୃଷ୍ଟାନ୍ତ ଯାହା ଦେଖାଇଛି ଦେବି,

 

ନୁହେଁ ତହିଁ ମନଃପୂତ ମୋର, ଜାଣେ ଘନ

ଏକାନ୍ତ ଆଶ୍ରିତା ତାର ତୃଷାର୍ତ୍ତା ଚାତକୀ,

ତଥାପି ଯଦ୍ୟପି କରେ ତାହାକୁ ନୀରଦର ?

 

ସର୍ବାଗ୍ରେ ଶାଖାକୁ ଖାଦ୍ୟ ଯୋଗାଇ ପାଦପ,

ପଛେ ସିନା ପୁଷ୍ଟ କରେ ଉପବୃକ୍ଷ ଅଙ୍ଗ ।

ବର୍ଜି ନାହିଁ ତୁମ୍ଭଙ୍କୁ ମୁଁ ଯଶୋଲାଭ ଆଶେ,

ବରଞ୍ଚ ଅର୍ଜିଛି ନିନ୍ଦା, କି କହିବି ହାୟ,

ଦାନବ-ପ୍ରକୃତି ଦୁଷ୍ଟା, ଠେଲିଦେଲା ଦୁରେ

ମାନବ-ସୁଲଭ ମୋର ହୃଦୟ ମହତ୍ତ୍ୱେ

ଅନାୟତ୍ତେ, ତେଣୁ ପ୍ରିୟେ ତେଜିଲି ତୁମ୍ଭଙ୍କୁ ।

 

ସେହି ଅବିଚାର ହେତୁ ବ୍ୟାପିଗଲା ଖରେ

ଲୋକ-ନିନ୍ଦା ଅପବାଦ ଚୌଦିଗେ ମୋ ନାମେ,

ବ୍ୟାପେ ଯଥା ଭଗ୍ନବନ୍ଧ ଜଳାଶୟ ଜଳ,

ବିସର୍ଜି ତୁମ୍ଭଙ୍କୁ କଲି ପ୍ରଜାଙ୍କୁ ସନ୍ତୁଷ୍ଟ,

ନଦୀର ସ୍ୱଭାବ, ସେହୁ ଖାଇ ଏକ କୂଳ

ବାନ୍ଧେ ଆନ କୂଳ, ଏଥେ କେଉଁ ଯଶ ତାର ।

 

ସମ୍ମାନର ପୁଷ୍ପାଞ୍ଜଳି ଲାଭ କଲ ତୁମ୍ଭେ,

ମଣ୍ଡିଲି ମୁଁ ଦଗ୍‌ଧ ଶିରେ ଅଖ୍ୟାତ-କିରୀଟ ।

ବାହାଇଲ ତୁମ୍ଭେ ଯେଉଁ ନବୀନ କୀର୍ତ୍ତିର

ନବ ମନ୍ଦାକିନୀ-ଧାରା, ଶୀତଳ ନିର୍ମଳ,

ଦେଖାଇଲ ପୁଣି ଯେଉଁ ନବ ସାହିତ୍ୟର

 

ସରସ ନବୀନ ଭାବ, ଅନଶ୍ୱର ତାହା ।

ଅମ୍ଳାମ ପାରିଜାତକ ଚରିତ୍ର ତୁମ୍ଭର,

ବିତରିବ ସୁଗନ୍ଧ ସେ ସଦା ସମଭାବେ ।

 

ଦେଖିବାକୁ ମୋତେ ତୁମ୍ଭେ ଉନ୍ନନା ସତତ,

କିନ୍ତୁ ଦେଖାଦେଇ ତବ ବିପୁଳ ଧୈର୍ଯ୍ୟର-

ବିଶ୍ୱଜୟୀ ସ୍ୱର୍ଣ୍ଣ-ସୌଧ କରିବାକୁ ଭଗ୍ନ

ଶୋକାଞ୍ଚିତ ଆତ୍ମା ସଦା ଅଭାଗା ରାମର ।

ବନେ ବନେ କେତେ ଦୁଃଖ ଭୁଞ୍ଜିଲ ବୈଦେହି !

ଦାରୁଣ ବିପଦ ମଧ୍ୟେ ତୋଳିଲ ଯେବଣ

ଚରିତ୍ର-କାଞ୍ଚନ-ସୌଧ, ଯଶୋରତ୍ନଚୁଡ଼,

ମୁକ୍ତିର-ମନ୍ଦିର ତାହା ଚିର ଅନଶ୍ୱର ।

 

ବିପଦ-ଦାରିଦ୍ର୍ୟ ବେନି କରନ୍ତି ମାନବେ

ବିଶୁଦ୍ଧ ଉଜ୍ଜ୍ୱଳ, ଆମ୍ଭ ପୂର୍ବ ପିତାମହୀ

ସାଧ୍ୱୀସେବ୍ୟା ଶୈବ୍ୟା ଦେବୀ, ସହି ବହୁ କ୍ଳେଶ

ସୁଜିଗଲେ ନାରୀକୁଳେ ମହିମା-ମୁକୁଟ

ତେଜସ୍କର, ତେଜସ୍କର ଯଥା ଆମ୍ଭ ବଂଶ-

ଅଧିଦେବ ପ୍ରଭାକର ପ୍ରଭା, ଯେଉଁ କୁଳ

ମଣ୍ଡିଥିଲେ ଶୈବ୍ୟା, ସେହି କୁଳେ କୁଳବଧୁ

ତୁମ୍ଭେ, ହେଲ ତାହାଙ୍କର କୀର୍ତ୍ତିର ଦୟାଦ,

ରଘୁବଧୁ ! ରଘୁ କୁଳ ଧନ୍ୟ ତବ ଯୋଗେ ।

 

ପ୍ରଶଂସିଛ ନିଜ ଗୁଣେ ବାହୁବଳେ ମୋର;

ଇଞ୍ଚିତମସ୍ତକେ କିପା ପୁଷ୍ପର ମୁକୁଟ ?

ନାହିଁ ଯାର ହୃଦବଳ ନୈତିକ ସାହସ,

ସେ ତ କାପୁରୁଷ, ତାର ବାହୁବଳ ସିନା

କ୍ଳୀବ ଆସ୍ଫାଳନ-ତାହା ବ୍ୟର୍ଥ, ଶୂନ୍ୟଗର୍ଭ ।

ସାଧିତ ରାବଣ-ବଧ ଭ୍ରାତୃବଳେ ପୁଣି

ତୁମ୍ଭରି ଶକ୍ତିରେ, ମୁହିଁ ଉପଲକ୍ଷ ମାତ୍ର ।

 

ନୁହନ୍ତି ଗୋ ତବ ପୁତ୍ରେ କରୁଣା-ଭିଖାରୀ,

ବୀର ଶିଶୁ, ପ୍ରତିପାଳି ବୀରେଚିତ ଧର୍ମ

ଲଭିଛନ୍ତି ସମ୍ମାନର ସ୍ୱର୍ଣ୍ଣ-ସିଂହାସନ;

ସତୀ ପୁତ୍ର, ସତୀ ତେଜେ ତେଜସ୍ୱୀ ବିଶେଷେ,

ସତୀର ଦୁର୍ଜୟ ତେଜ ଯାହାଙ୍କ ଶରୀରେ

କୁଳିଶ-କବଚ ପ୍ରାୟ ରଖିଛି ଆବରି,

କାର ସାଧ୍ୟ ତ୍ରିଭୁବନେ ତାହା କଳେବରେ

ଛୁଇଁବ ଆଙ୍ଗୁଳି ଟିପ, କେ ସେ ଦୁଃସାହସୀ,

କାର ଶକ୍ତି ସିଂହୀ-ସୂତେ କରିବ ଧର୍ଷଣ ?

 

ଲଭିଛି ମୁଁ ତାଙ୍କ କରେ ରଣେ ପରାଜୟ,

ମାତ୍ର ତହିଁ ନାହିଁ ମୋର ଦୁଃଖ ଅବା କ୍ଷୋଭ,

ପ୍ରତ୍ୟୁତ ମୋ ପକ୍ଷେ ତାହା ପରମ ଆନନ୍ଦ,

ଗୁଣବାନ ପୁତ୍ରଠାରୁ ଯେଉଁ ପରାଜୟ,

ଜୟଠାରୁ ବଳି ସିନା ତାହା ପ୍ରୀତିପଦ,

ବୀରର ବାଞ୍ଛିତ ତାହା, ବୀରର ସୌଭାଗ୍ୟ ।

 

ନାରୀ-ଆଦର୍ଶିକେ, ସୀତେ, ହେଉପଛେ ରାମ

ଯେଡେ ହୀନ ଅଭାଜନ କିମ୍ବା ଅଭିଶପ୍ତ,

 

ମାତ୍ର ସେହୁ ବୀର-ପତା ପୁଣି ସତୀ-ପତି,

ଏ ଗୌରବ କେବେ ତାର ନ ହେବ ମଳିନ ।

 

ତୁମ୍ଭରି ସତୀତ୍ୱ ତେଜେ ମୋର ଏ କଳଙ୍କ

ଭସ୍ମ ହୋଇ ଉଡିଯିବ ଏହା ମୋ ବିଶ୍ୱାସ;

ତୁମ୍ଭ ପରି ନାରୀରତ୍ନ କୁଳ-ସମୁଜ୍ଜ୍ୱଳା,

ମିଳୁ ମୋତେ ଜନ୍ମେ ଜନ୍ମେ, ମାତ୍ର ତୁମ୍ଭ ଭାଗ୍ୟେ

ମୋ ଭଳି ଅଧମ ପତି ନ ବିହୁ ବିଧାତା ।

 

ତୁମ୍ଭେ ମୋର, କିନ୍ତୁ ସୀତେ, ମୁଁ ତୁମ୍ଭର ବୋଲି

କହିବି ବା କେଉଁ ମୁଖେ, ଲଜ୍ଜା-ମଥା ଖାଇ,

ତୁମ୍ଭ ସେବା ତୁମ୍ଭ ଯତ୍ନ ସ୍ମରିଲେ ସଜନି,

ଦୁର୍ଦ୍ଦମିତ ଶୋକାବେଗ ଉଚ୍ଛୃଙ୍ଖଳ ସ୍ରୋତେ

ହୁଏ ହୃଦ ବିକ୍ଷୋଭିତ, ଆସେ ଅଶ୍ରୁ ନେତ୍ରେ,

ସେ ନିର୍ବାକ ଅଶ୍ରୁ, ପ୍ରିୟେ କହିବ ତୁମ୍ଭଙ୍କୁ

ଜ୍ୱାଳାମୟ ହୃଦୟର କାତର କାହାଣୀ,

ଅକଥିତ ଯେଉଁ ବ୍ୟଥା ସାରସ୍ୱତ ତୁଣ୍ଡେ,

ବିନ୍ଦୁଏ ଅଶ୍ରୁରେ ତାହା ହୁଏ ପ୍ରତିଭାତ ।

 

କେଉଁ ଉପକାର ତୁମ୍ଭେ ନ ସାଧିଛ ମୋର,

ସେହି ମୁହିଁ ଅକୃତଜ୍ଞ ବର୍ଜିଲି ତୁମ୍ଭଙ୍କୁ

ଅଦୋଷେ, ଏହି ତ ମୋର ନୈତିକ ବିବେକ,

ଛି-ଛି ଶତ ଧିକ ମୋର ନୃପତି-ଗୌରବେ ।

କିପାଇଁ ଅକାଳ ମୃତ୍ୟୁ ଆଶଙ୍କା ପ୍ରେୟସି,

ରଖିବ ତୁମ୍ଭଙ୍କୁ ତୁମ୍ଭ ଧର୍ମ ଚିରକାଳ ।

 

ପମ୍ପାସର ପୂର୍ବସ୍ମୃତି ଉଦ୍‌ବୋଧି ମୈଥିଳି,

ଲେଖିଅଛି ଶୋକ-ଲେଖ, କି ଫଳ ତହିଁରେ ?

ଦୁଃଖକାଳେ ସୁଖ-ସ୍ମୃତି ବଜ୍ରବ୍ୟଥା ସିନା ।

ଫୁଙ୍କିଲେ ଅନଳ-ସ୍ତୂପେ, ଲାଗିବ ଉତ୍ତାପ

ବହୁଗୁଣେ, ହେବ ତହିଁ ସନ୍ତୁଳି କେବଳ,

କେଉଁ ଫଳ ଦଗ୍‌ଧ କ୍ଷତେ ଅନଳ ପ୍ରଲେପେ ।

 

ତୁମ୍ଭ ଯୋଗେ ରଘୁ କୁଳେ ଲାଗିଲା କଳଙ୍କ

ଏ ତୁମ୍ଭର ଭ୍ରାନ୍ତ ଉକ୍ତି, ହୋଇଛି ଉଜ୍ଜ୍ୱଳ

ତବ ଯୋଗେ ରଘୁକୁଳ, ପୁତ ପ୍ରଶସ୍ତିତ

କେବଳ ଲେପିଲା ତହି କଳଙ୍କ-କାଳିମା

 

ଏ ଦୁର୍ଭାଗ୍ୟ, ସେହି ବଂଶ-ଅଯୋଗ୍ୟ-ସନ୍ତାନ,

ଶବ ଦେହେ ଅଳଙ୍କାର ସମ ତା ଉପାଧି ।

 

ମଣ୍ଡିଲେ ଯେ ସିଂହାସନେ ହରିଶ୍ଚନ୍ଦ୍ର, ରଘୁ

ପୁଣ୍ୟଶ୍ଳୋକ ଦେବକଳ୍ପ ନୃପେ, ଏବେ ହାୟ

 

ଅପବିତ୍ର କଳୁଷିତ ମୋ ପରଶେ ତାହା !

କେବଳ କି ମୁନିଋଷି ଆବାସ ଅରଣ୍ୟ,

ଥାଆନ୍ତି ତହିଁରେ ସୁଦ୍ଧା ବିବିଧ ଶ୍ୱାପଦ ।

କି ଗୀତ ଗାଇବେ ଶିଶୁ, ମୋ ଅନୀତି-ଗୀତ ?

 

କ୍ଷମା କର ଦେବି, ଶୁଣି ଆତ୍ମ-ଦୁଷ୍କରଣୀ

ଲଜ୍ଜାରେ ଅଧୋବଦନ ହେବି ସିନା ସତି !

ନ ଚାଳ ଗୋ ପେଡିସୂପ୍ତା ସ୍ମୃତି-ନାଗୁଣୀକି ।

ବିଫଳ ବୈଦେହି, ତବ ମୃତ୍ୟୁର ଆଶଙ୍କା,

 

ଲଭିଲଣି କର୍ମେ ତୁମ୍ଭେ ଚିର ଅମରତା,

ଆଦର୍ଶ ସ୍ଥାନୀୟ ଯେହୁ ଜନନୀ ଜାତିରେ,

ଆବର ଗୃହିଣୀ-କନ୍ୟା-ଭଗିନୀରୁପରେ,

ଗାଇବ ଯା ଯଶୋଗାଥା ଭବିଷ୍ୟ ପୁରାଣ

 

ଶତ କଣ୍ଠେ, କୋଟି କଣ୍ଠେ ଗାଇବେ ମାନବେ,

ତାର ପୁଣି କାହିଁ ମୃତ୍ୟୁ, ଛୁଇଁଲେ ସେ ତାକୁ

ସତୀତ୍ୱର ବ୍ରହ୍ମତେଜେ ଯିବ ଦୁଷ୍ଟ ଜଳି ।

ନ ପୋଷ ଗୋ ଚିନ୍ତା ଦେବି, ଶିଶୁଙ୍କ ସକାଶେ

 

ଜୀବନ-ପ୍ରଭାତେ ଦୁହେଁ ରବିଶଶୀ ରୂପେ

ଉଇଁ ଏ ଅରଣ୍ୟାକାଶେ, ପ୍ରବୀର-ବରେଣ୍ୟ,

ମନୁଷ୍ୟତ୍ୱ ମହିମାର ମାଣିକ୍ୟ-ମୟୂଖେ-

ସ୍ନିଗ୍‌ଧୋଜ୍ଜ୍ୱଳ, ତପୋବନେ କରନ୍ତି ରଞ୍ଜିତ,

 

ରାଜଚକ୍ରବର୍ତ୍ତୀ ଚିହ୍ନେ ଚିହ୍ନିତ ଶିଶୁଏ,

ଭବିଷ୍ୟ ଅଦୃଷ୍ଟ ତାଙ୍କ ଉଜ୍ଜ୍ୱଳ ମଙ୍ଗଳ,

ତାଙ୍କ ପାଇଁ ବୃଥା ବ୍ୟଥା ନ ଳଭ ଜାନକି !

ସଦା ଶୋକାତୁରା ମାତା କୌଶଲ୍ୟା ସୁମିତ୍ରା

 

ତୁମ୍ଭ ପାଇଁ, କହି ତାଙ୍କୁ ତୁମ୍ଭର ବାରତା

କରିବାକୁ ଶୋକ ତାଙ୍କ ବୃଦ୍ଧି ବହୁଗୁଣ

ନ ଖଟେ ସାହସ ମୋର, କ୍ଷମା କର ଦେବି,

ପାଳନେ ଅକ୍ଷମ ମୁହିଁ ସେହି ଅନୁରୋଧ,

 

କେବଳ କି ମାତୃଦ୍ୱୟ କାନ୍ଦନ୍ତି ସତତ,

କାନ୍ଦୁଛନ୍ତି ତୁମ୍ଭ ପାଇଁ ପ୍ରକୃତି-ସୁନ୍ଦରୀ,

ଝୁରୁଛନ୍ତି ବନଗିରି ପୃଥ୍ୱୀ ତରଙ୍ଗିଣୀ

ଝୁରୁଛନ୍ତି ପୁଣି ଖେଦେ ଆକାଶ ପାତାଳ ।

 

ଲେଖିଅଛି ଚନ୍ଦ୍ରକେତୁ କଥା ସୁକୁମାରି,

ପ୍ରେରିଲି ତାହାକୁ ତବ ଉପରୋଧମତେ,

ଚରିତ୍ରେ ଦେବତା ଶିଶୁ, ପିତୃଠାରୁ ବଳି

କରେ ମୋତେ ଶ୍ରଦ୍ଧାଭକ୍ତି, ତଥା ତୁମ୍ଭଙ୍କୁ ସେ

 

ମଣେ ମାତା ତୁଲ୍ୟ, ସ୍ୱୟ ମାତାରୁ ଅଧିକ,

ବଞ୍ଚିଥାଉ ବତ୍ସ ବହି କୀରତି-କିରୀଟ;

ସିଞ୍ଚ ଏହି ଆଶୀର୍ବଦ-ସୁଧା ତାହା ଶିରେ ।

ହେଉଛି ବିଦାୟ ଏବେ, ଯଜ୍ଞ ସାଙ୍ଗ ପରେ

 

ଆସି ଏହି ତମୋନାଶି-ପୁଣ୍ୟ-ତପୋବନେ

ମାଗିବି ସ୍ୱ-ଅପରାଧ କ୍ଷମା, ତୁମ୍ଭ କତି,-

ତପୋନିଷ୍ଠ ବାଲ୍ମୀକିଙ୍କ ପଦେ, ମୁନିବରେ

କରାଇ ପ୍ରସନ୍ନ, ସତି, ସପୁତ୍ର ତମ୍ଭଙ୍କୁ

 

ମାଗିନେବେ ତାଙ୍କଠାରୁ ଦୀନ ଭିକ୍ଷୁରୂପେ ।

ଉଭୟେ କ୍ଷମିବ ମୋତେ ଜାଣେ ମୁଁ ନିକର,

ସତୀ, ଯତି ବେନି କ୍ଷମା-କରୁଣା-ନିର୍ଝର ।

 

ସୁଭଦ୍ରାଙ୍କ ପ୍ରତି ଅର୍ଜୁନ

 

ଲେଖ ନା, ଏ ପ୍ରତିନିଧି ସୁଭଦ୍ରେ ତୁମ୍ଭର,

ଅବା ତୁମ୍ଭେ ସ୍ୱୟଂ ଆସି ସମର୍ପୁଛ ମୋତେ

ପ୍ରୀତିର ସଙ୍ଖୋଳା, କିଛି ପାରୁ ନାହିଁ ବୁଝି ।

କିମ୍ବା ଏ ଉନ୍ମୁକ୍ତ ସ୍ମୃତି-ଫଳକ-ପ୍ରେମର ?

ଅହୋ କି ଆଶ୍ଚର୍ଯ୍ୟ ପୁଣି, ଏ ଚିଟାଉ ତବ

ଫୁଟାଉଛି ଦେବି, ତବ ପ୍ରାଣର ବୈକଲ୍ୟ,

ଅନ୍ତରର ବ୍ୟଥା ତବ ଧରି ଛନ୍ଦ ସ୍ୱର,

ହେଉଛି ଧ୍ୱନିତ ତହିଁ, ମୌନେ ଶୋକତାନେ ।

ସେ ଦିନୁ ଦେଇଛି ବିକି ତୁମ୍ଭଙ୍କୁ ହୃଦୟ-

ଯେ ଦିନ ରୈବତ-ଚୂଳେ ବନଦେବୀରୂପେ

ବସି ଗୁନ୍ଥୁଥିଲ ହାର ବନଫୁଲ ତୋଳି,

ଚାରୁହାସିନି ଗୋ, ତବ ଚାରୁ ହାସ ସହ

ନ ହୋଇ ତୁଲ ସେ ଫୁଲ, ଦିଶୁଥିଲା ମ୍ଳାନ,

ଲାବଣ୍ୟ-ତଡିତ-ପ୍ରଭା ଉଠୁଥିଲା ଆହା

ଚହଟି ଶରୀରୁ, ଯଥା ପ୍ରଭାତ-ବାନ୍ଧବୀ

ଉଷାଦେହୁ ଉଭାସିତ ଦିବ୍ୟ ରାଗଧାରା,

 

ଧରିନେଲା ସେହି ଶୋଭା ଚିତ୍ତକୁ ମୋହର-

ଦୃଷ୍ଟିମାତ୍ରେ, ଧରିନିଏ ଯଥା ଅଠାକାଠି

ମୁହୁର୍ତ୍ତେ ବିହଙ୍ଗେ, ତହୁଁ ରହିଲି ମୁଁ ଚାହିଁ

ଶୋଭାର କାଙ୍ଗାଳୀରୂପେ, ବହୁକ୍ଷଣ ଯାଏ,-

 

ବହି ଅନିବୃତ୍ତ ଉଗ୍ର ଆକାଙ୍‌କ୍ଷା ମନରେ ।

କୌମୁଦୀ-ବିଧୌତ ଆସ୍ୟ ଆହା କି ରୁଚିର,

ଖେଳୁଛି ଉପରେ ତାର ଅମରୀ ମହିମା,

ମୁଖ ନୁହେଁ ତାହା, ନିଶ୍ଚେ ଚନ୍ଦ୍ରିକାର ଫୁଲ,

 

ଅଥବା ଆକାଶ ଧରା ମୁକ୍ତ ଫରୁଆରେ

ରକ୍ଷିତ ଅପୂର୍ବ ମଣି,-ବିଚିତ୍ରପ୍ରତିଭ ।

ଅନବଦ୍ୟ ସେ ମାଧରୀ, ଅଯତ୍ନବିନ୍ୟାସ,

ପରାସ୍ତ ଅନୁଭୂତିର ଅନୁଭୂତି ଯହିଁ,

 

କି ସାଧ୍ୟ ଭାଷାର ତାହା କରିବ ପ୍ରକାଶ ?

ତବ ଅପାସୋରା ମୁର୍ତ୍ତି ରହିଛି ପ୍ରେୟସି,

ଲାଖି ମୋ ନୟନେ ସଦା, ଜାଗ୍ରତେ ଶୟନେ,

ସୁଷୁପ୍ତି ମଧ୍ୟରେ ଦେଖେ ତୁମ୍ଭଙ୍କୁ ସ୍ୱପନେ ।

 

ମନଚୋରା ଅପବାଦ ଅର୍ପିଛ ସୁଭଦ୍ରେ,

ମୋତେ, ତୁମ୍ଭେ ସୁଦ୍ଧା ନୁହ ଊଣା ସେ ବିଦ୍ୟାରେ,

ଚୋରି କରି ମନ ମୋର ଗୋ ମନଚୋରଣି,

ଆରୋପିଛ ଦୀନପ୍ରାଣେ କଣିକାଏ ଆଶା,

 

ଜୀବିତ ସେ ଆଶାବଳେ ଅବଧି ଅର୍ଜ୍ଜୁନ ।

ବିଦୁଷୀପ୍ରବରା ତୁମ୍ଭେ କୋମଳପ୍ରକୃତି,

ପୁରୁଷ କଠୋରମତି, ତବ ସହବାସେ

ଶିଖିବି ମୁଁ କୋମଳତା, ଶୁଭଗୁଣଚୟ,

 

ପୁରୁଷଚରିତ୍ର-ଶୁଦ୍ଧି ନାରୀହାତେ ସିନା ।

ତୁମ୍ଭେ ସତୀ ପୁଣ୍ୟବତୀ ଜାଣିଛି ନିକର

କରିଦେବ ତୁମ୍ଭେ ମୋତେ ନିର୍ଦ୍ଦୋଷ ନିର୍ମଳ ।

ସିନ୍ଧୁଜଳ କଟୁ ହେତୁ ତଟିନୀ ରୁପସୀ

 

ନୁହେଁ ପ୍ରତିକୁଳା ତାର, ପ୍ରତ୍ୟୁତ ସ୍ୱନୀରେ

କରିନିଏ ସଂଶୋଧନ ସିନ୍ଧୁ-ମନ୍ଦଗୁଣ ।

ଯେ ଚିତ୍ର ଚିତ୍ରଣେ ତୁମ୍ଭେ ଅକ୍ଷମ ସର୍ବଥା

କେମନ୍ତ ଚିତ୍ରିବି ତାହା ମୁଁ ଅଚିତ୍ରକର,

 

କେବଳ ନୁହଁ ଗୋ ତୁମ୍ଭେ ଚିତ୍ରକଳା-ଶିଳ୍ପୀ

ଭାଷାଶିଳ୍ପେ ୧ ସ୍ୱରଶିଳ୍ପେ ୨ ମହା ଧୁରନ୍ଧରୀ,

ଏତେ ଶିଳ୍ପେ ସୂଦକ୍ଷ ଯେ କେଉଁ ଚିତ୍ର ଅବା

ଅଗୋଚର ତାର, ଧନି, ଭୁକ୍ତଭୋଗୀ ବିନା

 

କେ ଚିତ୍ରିବ ଅନ୍ତରର ଚିତ୍ର, କେ କହିବ

ପୀଡ଼ାର ଯନ୍ତ୍ରଣା ହାୟ ପୀଡିତ ବ୍ୟତୀତ ।

ପାରିଧି ଉଦ୍ଦେଶ୍ୟେ ଦିନେ ପ୍ରବେଶି କାନନେ

ଦେଖିଲି କୁରଙ୍ଗୀ ସୁପ୍ତ ବ୍ରତତୀ ନିକୁଞ୍ଜେ,

 

ଧନୁ ଗୁଣେ ଖର ତୀର ଯୋଖି ଖର କରେ

ବିନ୍ଧିଲି ତାହାକୁ, ଶୁଣି କାର୍ମୁକ ଟଙ୍କାର

ଚାହିଁଲା ମୃଗୁଣୀ ତ୍ରାସେ ଗ୍ରୀବା ଭାଙ୍ଗି ମୋତେ,

ଦେଖି ତା’ ଚକିତ ନେତ୍ର, ପଡିଲାକ ମନେ

 

ତୁମ୍ଭରି ନୟନ-ଶୋଭା, ତହୁଁ ଲକ୍ଷ୍ୟ-ବକ୍ଷେ

ନ ପଡୁଣୁ ଶର, ପେଷି ଦ୍ୱିତୀୟ ଶାୟକ

ପ୍ରତିସଂହରିଲି ତାହା ନ ପଡ଼ୁ ନିମେଷ ।

ଆଉ ଦିନେ ପ୍ରାଣସଖା ଶ୍ରୀକୃଷ୍ଣ ସହିତେ

 

ଭ୍ରମୃ ଭ୍ରମୁ ରୈବତକେ, ଦେଖିଲୁଁ ସହସା

ଦ୍ୱିହାର ଗହ୍ୱର ମଧ୍ୟେ ଭୀଷଣ କେଶରୀ,

ତହୁଁ ଆକ୍ରମିଲୁଁ ତାକୁ ଦୁହେଁ ବେନି ପାଶୁଁ

ଉଠିଲା ବିକଟେ ଗର୍ଜି ହର୍ଯ୍ୟକ୍ଷପ୍ରବର

 

ରୋଷକଷାୟିତ ନେତ୍ରେ, ହେରି କଟୀ ତାର,

କୃଶକଟି ! ଅବିକଳ ତୁମ୍ଭ କଟୀ ଭଳି,

ହେଲାକ ଶିଥିଳ ମୁଷ୍ଟି, ପଡିଲା ହସ୍ତରୁ

ଧନୁର୍ବାଣ ଖସି, ସିଂହ ପଳାଇଲା ହେଳେ,

 

ତା ଦେଖି ହସିଲେ ସଖା, ହେଲି ମୁଁ ଲଜ୍ଜିତ ।

କେତେ ବଖାଣିବି ପ୍ରିୟେ, ଜାଣିବ ନିକର

ଅର୍ଜୁନ ତୁମ୍ଭର ଏକା, ତୁମ୍ଭେ ଅର୍ଜୁନର ।

ଶୌର୍ଯ୍ୟବତୀ ଚିତ୍ରାଙ୍ଗଦା ମଣିପୁର-ମଣି,

 

ନେଇଥିଲା କିଣି ମୋତେ ଶୌର୍ଯ୍ୟ ପ୍ରଭାବରେ,

ମାତ୍ର ତୁମ୍ଭେ ସୌନ୍ଦର୍ଯ୍ୟରେ କିଣିନେଲ ଧନି,

ବାନ୍ଧିଛି ପ୍ରୀତିର ଯେଉଁ ସୂବର୍ଣ୍ଣ ବନ୍ଧନେ

ପ୍ରାଣର ବନ୍ଧନ ତାହା, ସ୍ୱଭାବ-ଅଚ୍ଛେଦ୍ୟା

 

ଆସନ୍ନ ବିବାହୋତ୍ସବେ ସର୍ବେ ମହାସୁଖୀ

କେବଳ ଅସୁଖୀ ତୁମ୍ଭେ, ଏହା ପ୍ରାକୃତିକ,

ନିଶାର ତୁଷାରେ ଫୁଟେ ଆନ ଯେତେ ଫୁଲ,

ମାତ୍ର ସରଃ ସ୍ୱର୍ଗାପସରା ସରୋଜ ସୁନ୍ଦରୀ

 

ବିଷାଦେ ମଉଳେ ସିନା, କିନ୍ତୁ ସେ ବିଷାଦ

ନୁହେଁ ଦୀର୍ଘକାଳସ୍ଥାୟୀ, ଅନନ୍ତର ଭଇଁ

ରବି ଶୁନ୍ୟେ ଉଡ଼ାଇ ସେ ନୀହାରକଣିକା -

ଧୂମେ କରି ପରିଣତ, ହସାନ୍ତି ତାହାକୁ ।

 

କି ଦୁଃଖ ଯାଦବି, ତବ ? ଯାହାର ସୋଦର

ଭବଦୁଃଖହର ତାହା ଭଗିନୀର ଦୁଃଖ !

ବିଷମ ସମସ୍ୟା ଭଳି ହୁଏ ଏହା ପ୍ରତେ ।

ନ ହେବ ଅନ୍ୟଥା କେଭେଁ ତବ ମନୋରଥ,

 

କୋଟି ଅନ୍ତରାୟେ ଦେବି, ସ୍ରୋତସ୍ୱିନୀ ଗତି

ରୋଧିବାକୁ କେ ସମର୍ଥ ବିଶ୍ୱ ଚରାଚରେ ।

ନ ବରୁଣୁ ତୁମ୍ଭଙ୍କୁ ମୁଁ ସାରଥି ପଦରେ

ବରିଲେଣି ସତ୍ୟଭାମା, ଶୁଭ ସୁଚନା ସେ

 

ଭାବୀ ମିଳନର, ଆମ୍ଭ ଉଭୟ ପକ୍ଷରେ,

ଶୁଣିଛି ମୁଁ ସଖାମୁଖେ କେତେ ଥର

ତୁମ୍ଭରି ସାରଥିତ୍ୱର ବିପୁଳ ପ୍ରଶଂସା,

ତବ ରଥ-ଚାଳନର ଅପୂର୍ବ ହୁନ୍ଦର

 

ଦେଖି ହେବେ ନଳରାଜା, ଲାଜେ ଅଧୋମୁଖ,

ଜଗତେ ଯେ ଏକମାତ୍ର ଅଦ୍ଭୁତ ସାରଥି,

ତୁମ୍ଭ ପରି ବୀର-ନାରୀ ଲଭିଲେ ଅର୍ଜ୍ଜୁନ,

ମଣିବ ସେ ଆପଣାକୁ ଧନ୍ୟ ଅଦ୍ୱିତୀୟ !

 

ପ୍ରଶଂସିଛ ପ୍ରିୟେ ତୁମ୍ଭେ ବୀରତ୍ୱ ମୋହର

ତୁମ୍ଭେ ଯେ ଅଦ୍ଭୁତ ବୀର, କେ ନ ଜାଣେ ତାହା ?

ବାଣର ଅସାଧ୍ୟ ଯାହା, ସାଧିପାର ତାହା

ଦୃଷ୍ଟିରେ ଅକ୍ଳେଶେ ତୁମ୍ଭେ, ଅତ୍ୟୁକ୍ତି କି ଏହା ?

 

ବୀରର ବିଶିଖୁଁ ତୀକ୍ଷ୍‌ଣ ଭୀରୁର କଟାକ୍ଷ ।

ଦେଖିଛି ସ୍ୱପନେ ଯାହା ହେବ ତାହା ସତ୍ୟ

ପ୍ରଭାତରେ କାଲି, ସ୍ୱପ୍ନ ନୁହେଁ ତାହା ପ୍ରିୟେ

ପ୍ରକୃତର ଅଗ୍ରବର୍ତ୍ତୀ ଛାୟା-ସଙ୍କେତ ସେ,

 

ଧରିକି ମୃଗୟୂ ବେଶ; ମାତ୍ର ଏ ମୃଗୟା

ନୁହେଁ ପଶୁଦ୍ଦେଶ୍ୟେ, ଏହା ମାନବ-ପାରିଧି,

ଧରିବ କାନନ ଛବି ଦ୍ୱାରକା ନଗରୀ

ହୋଇ ଅସ୍ତ୍ରେ କଣ୍ଟକିତ, ଶ୍ୱାପଦ ତହିଁରେ

 

କୁରୁଥାଟ, ମୁହିଁ ତାହା ସମୁଳେ ବିନାଶି

କରିବି ନିରୁପଦ୍ରବ କାନନ-ଲକ୍ଷ୍ମୀଙ୍କୁ ।

କିଏ ସେ କାନନ-ଲକ୍ଷ୍ମୀ, ପାରିବ କି କହି ?

ନ କହ ପଛକେ, ମାତ୍ର ତୁମ୍ଭେ ସେହି ଦେବୀ ।

 

ଆସୁ ଦର୍ପୀ ଦୁର୍ଯ୍ୟୋଧନ, ହେବ ହଟହଟା

ଚେଦୀଶ୍ୱର ପଶୁମତି ଶିଶୁପାଳ ପରି ।

କେଶବ ପ୍ରସ୍ତାବେ ହଳୀ ନ ହେଲେ ସମ୍ମତ

କି କ୍ଷତି ତହିଁରେ ଅବା; କଲି ମୁଁ ପ୍ରତିଜ୍ଞା

 

ବିନାଶି ପ୍ରତିଜ୍ଞା ତାଙ୍କ ରଖିବ ନିକର

ଦେବି, ତବ ଆରିମାନ, ନ ହେବ ଅନ୍ୟଥା ।

ହେଉନ୍ତୁ ସେ ଅନ୍ତରାୟ, ନୁହେଁ ମୁଁ ଶଙ୍କିତ,

ରୁକ୍ମିଣୀ-ହରଣ-ସ୍ମୃତି-ଉଜ୍ଜ୍ୱଳ ଆଲୋକେ

 

କରିନେବି କର୍ତ୍ତବ୍ୟର ପଥ ନିରୁପଣ ।

କି ସାନ୍ତ୍ୱନା ଦେବି ଭଦ୍ରେ, ତୁମ୍ଭଙ୍କୁ ଅଧିକ,

ଏ ଗାଣ୍ଡୀବ ଧନୁକର ହେଜି ପରାକ୍ରମ

ରହ ନିର୍ବିକଳ୍ପେ ଦେବି, ଧଇର୍ଯ୍ୟ ସମ୍ଭାଳି,

କାଲି ନିଶ୍ଚେ ପୁର୍ଣ୍ଣ ହେବ ତବ ମନ-ସାଧ,

ସତ୍ୟ ସତ୍ୟ ସତ୍ୟ ଏହା ଧ୍ରୁବ ନିସଂଶୟ ।

 

ଦେବଯାନୀଙ୍କ ପ୍ରତି କଚ

 

ବୁଝିଲି ସତୀର୍ଥେ, ତବ ଗୁପ୍ତ ମନୋଭାବ,

‘‘କାହିଁକି ନ ମିଶ ତୁମ୍ଭେ କି ଭାବ ବିରଳେ’’

ଦେଇଛି ଏ ଭାବାନ୍ତର ଲଜ୍ଜା ଆଣି ପରା

ପ୍ରାଣେ ତବ, ପ୍ରାଣପ୍ରିୟେ, ନବଦୀକ୍ଷାରୂପେ ।

ବୟୋବୃଦ୍ଧି ସହ ବଢେ ବାଲ୍ୟର ପ୍ରଣୟ

ଏହା ପ୍ରଣୟର ଧାରା, ନିତ୍ୟ ପ୍ରତ୍ୟକ୍ଷିତ,

ପ୍ରାତେ ସ୍ନେହନେତ୍ରେ ହେରି ସୂର୍ଯେ୍ୟ ସରୋଜିନୀ

ଲଜ୍ଜାବେଶେ ଅଧୋମୁଖୀ ହୁଏ କି ମଧ୍ୟାହ୍ନେ,

ବରଂ ବହୁଗୁଣ ସ୍ନେହେ ନିରେଖେ ପ୍ରିୟକୁ ।

ଯୌବଧର୍ମ ମିଳନର ନୁହେଁ ଅନ୍ତରାୟ,

ପାଦପଜଡ଼ିତା ଲତା ହେଲେ ପୁଷ୍ପବତୀ

ରହେ କି ପାଦପଠାରୁ ଅନ୍ତର ସେ କାଳେ ?

କେଉଁ କାଳେ ଘନ ସଙ୍ଗ ଛାଡ଼େ କି ବିଜୁଳି ?

କି ସାଧ୍ୟ ଲଜ୍ଜାର, ଦୁଷ୍ଟା କେବଣ ସାହସେ

ଛୁଇଁବ ନିର୍ଦୋଷ ପ୍ରେମ-ପୂଣ୍ୟ ପୂଜା ବେଦୀ

ସ୍ୱର୍ଗର ସମ୍ପଦ ପ୍ରେମ ଦୁର୍ଲ୍ଲଭ ଅକ୍ଷୟ,

 

ଲୋଡ଼େ ନାହିଁ ସେ ପ୍ରାକୃତ ଲାଳସା-ଭଣ୍ଡାର,

ନାହିଁ ଆନ ପ୍ରତିଦାନ ବିଶୁଦ୍ଧ ପ୍ରେମର,

ସେହି ଏକା ପ୍ରତିଦାନ ତାର ଚରାଚରେ ।

ପ୍ରେମିକପ୍ରେମିକାଦ୍ୱୟେ କରିଦିଏ ପ୍ରେମ

 

ଏକୀଭୂତ, ଏକୀଭୂତ କରିଦିଏ ଯଥା

ପବିତ୍ର ପ୍ରୟାଗ ତୀର୍ଥ ଜାହ୍ନବୀ ଯମୁନା,

ହୁଏ ନାହିଁ ବାରି ତହୁଁ କିଏ କାହା ବାରି ।

ପ୍ରେମର ଦୂରତା ନାହିଁ, ଇନ୍ଦୁ ସିନ୍ଧୁ ମଧ୍ୟେ

 

ବ୍ୟବଧାନ ଦୃଷ୍ଟ୍ୟତୀତ ଅନନ୍ତ ଗଗନ,

ତଥାଚ ଅକ୍ଷତ ସଦା ଉଭୟର ପ୍ରେମ ।

ପ୍ରେମ ସାମ୍ୟନୀତି, ନାହିଁ ଇତର ବିଶେଷ -

ତାର, ନୁହେଁ ଅବା ଘନ କେଡ଼େ ବଡ଼ଲୋକ,

 

ମାତ୍ର ସେ ପ୍ରେମରେ ବଦ୍ଧ,-କ୍ଷୁଦ୍ରାଦପି କ୍ଷୁଦ୍ର,

ନଗଣ୍ୟ ଚାତକ ସହୁ-ବନର ବିହଙ୍ଗ ।

ମାନେ ନାହିଁ ପ୍ରେମ ପୁଣି ଜାତିଧର୍ମ ଭେଦ,

ଅନଳ ଅନିଳ ଧର୍ମ ପୂର୍ଣ୍ଣ ବିପରୀତ,

 

ମାତ୍ର ପରସ୍ପର ମଧ୍ୟେ ପ୍ରୀତି ଗାଢତର ।

ପ୍ରେମିକ ପ୍ରେମିକା ମଧ୍ୟେ ଜଣକ ଭୋଜନେ

ଆନ ଯଦି ଲଭେ ତୃପ୍ତି, ଜଣକ ପୀଡ଼ାରେ

 

ଅପର ଯଦ୍ୟପି ଭୁଞ୍ଜେ ବିଷମ ଯନ୍ତ୍ରଣା,

ତେବେ ସେମାନଙ୍କ ପ୍ରେମ, ବାସ୍ତବିକ ପ୍ରେମ,

ଅମର-ବାଞ୍ଛିତ ତାହା ପରମ ପାବନ ।

ଘୃଣ୍ୟ ସିନା ଋଷିକନ୍ୟେ, ନାଗରିକ ପ୍ରେମ,

 

ତାହା ବ୍ୟଭିଚାର, ଅତଃ ନରକର ଦୂତ,

କାଂସ୍ୟପାତ୍ର ପରଶରେ ବିଷବତ ଯଥା

ନାରିକେଳ ଜଳ, ତଥା ହେୟ ପରିତ୍ୟାଜ୍ୟ

ଗ୍ରାମ୍ୟ ସୂଖମିଶା ପ୍ରେମ, ଇନ୍ଦ୍ରିୟମୂଳକ ।

 

ପରିଣାମ- ଅଶ୍ରୂବର୍ଷୀ ଆପାତ- ମଧୁର

ବାଲ୍ୟସୂଖ ସଖି ! ବଡ଼ ଯନ୍ତ୍ରଣାଦାୟକ,

ନ କର ଗୋ ଉଦ୍‌ବୋଧନ ତାର ଦଗ୍‌ଧ ସ୍ମୃତି,

ହରିଛି ନିୟତି ତାହା ଚିରଦିନ ପାଇଁ;

 

ବଡ଼ ନିଷ୍ଠୁରା ସେ, ନାହିଁ ଦୟା ମାୟା ତାର,

ଯାହା ନିଏ ତାହା ଆଉ ନ ଦିଏ ଫେରାଇ ।

ଆହା କେଡ଼େ ସୂମଧୁର ବାଳୁତ ସମୟ,

ସେ କାଳେ ହୃଦୟ ଥାଏ କୋମଳ ନିର୍ମଳ,

 

ସଂସାର-ଜଞ୍ଜାଳଶୂନ୍ୟ ପୁତ, ନିର୍ବିକାର,

‘‘ବସୂଧୈବ କୁଟୁମ୍ୱକଂ’’ ସେ କାଳର ଦୀକ୍ଷା ।

ଲାଗେ ନାହିଁ, ସେ କାଳରେ ଭବ-ଉଷ୍ମ-ବାତ୍ୟା

ଦେହେ, ଦଂଶେ ନାହିଁ ହୃଦେ ଶତଫଣା ତୋଳି

 

ଦୁଶ୍ଚିନ୍ତା- ଭୁଜଙ୍ଗୀ, ତୀବ୍ର-ଗରଳ-ଭୀଷଣା ।

ହେଉଥାନ୍ତା ସ୍ଥାୟୀ ଯେବେ ମାନବ ଜୀବନେ

ବାଲ୍ୟକାଳ, ତେବେ ଏହି ପାପମୟ ଧରା

ହୁଅନ୍ତା ସ୍ୱର୍ଗର ସ୍ୱର୍ଗୁଁ ବଳି ନବସ୍ୱର୍ଗ ।

 

ସ୍ମରିଲେ ଅତୀତ ସୁଖ, ଅତୀତ ଘଟନା,

ଅବସାଦ- ତୀବ୍ର- ବିଷେ ହୁଏ ପ୍ରାଣ ଘାରି ।

ଦଣ୍ଡୁ ନାହିଁ ବାଲ୍ୟସ୍ମୃତି ତୁମ୍ଭଙ୍କୁ ଏକାକୀ

ଏ ଅଭାଗା ସୁଦ୍ଧା ତାର କ୍ରୀଡ଼ା-ପୁତ୍ତଳିକା,

 

ଦିବସ-ବାର୍ଦ୍ଧକ୍ୟେ ମୁହିଁ ଗୋଧୂଳି ସମୟେ

ଘୋଷୁଥାଏଁ ବେଦ ଯେବେ ବସି ତରୁମୁଳେ

ଶାନ୍ତିମୟୀ ମଧୁମୟୀ ଶୀତଳ ଛାୟାରେ,

ଶୋଇ ମୋର ପଦତଳେ ଅବହିତ ମନେ

 

ଶୁଣୁଥିଲ ତୁମ୍ଭେ ତାହା,ଶୋଇ ଯଥା ଆହା

ବୃନ୍ତଚ୍ୟୁତା ଫୁଲରାଣୀ ତରୁ ପଦମୁଳେ

ଶୁଣୁଥାଏ କାନ ଡ଼େରି ଭ୍ରମର ଝଙ୍କାର ।

ସେକାଳେ ତୁମ୍ଭଙ୍କୁ ଦେଖି ରହସ୍ୟେ ବୟସ୍ୟେ

 

‘‘ଶ୍ଳୋକ ପଦେ ଟୀକା’’ ବୋଲି ଖଟାନ୍ତି ଉପମା ।

ସୁନ୍ଦର ଗୋଧୁଳି କାଳ, ପ୍ରବାଳ-ପାଟଳ,

ବିଶ୍ୱକର୍ମା କର୍ମଶାଳୁ ଉଠି ରତ୍ନରେଣୁ

ବ୍ୟାପିଛି କି ନଭେ ଘନେ, କିମ୍ୱା ବାରୁଣୀର

 

ଆରକ୍ତ ମନ୍ଦାରମାଳା ଜ୍ୱଳେ ଦାଉ ଦାଉ ।

ସେ ସୁନ୍ଦର ପ୍ରଭାସ୍ପର୍ଶେ ତବ ବରାନନ

ନିନ୍ଦୁଥାଏ କୋଟିଚନ୍ଦ୍ର ଢ଼ଳ ଢ଼ଳ କାନ୍ତି;

ପଡ଼ୁଛି କି ମନେ ଏବେ ସେ କାଳର କଥା !

 

ଶୁଣି ଦିନେ ପକ୍ଷି-ସ୍ୱର, ପୁଚ୍ଛାକଲେ ମୋତେ

ରବକାରୀ ପକ୍ଷି-ନମ, ବୋଇଲି ମୁଁ ତହୁଁ

ପଚାର ପକ୍ଷୀକୁ ଦେବ ପ୍ରକୃତ ଉତ୍ତର,

ଭାଷିଲ ସସ୍ମିତେ ତୁମ୍ଭେ ମଧୁରଭାଷିଣି,-

 

‘‘ବୁଝୁଥାନ୍ତା ପକ୍ଷୀ ଯେବେ ମାନବର ଭାଷା

ଅର୍ପନ୍ତି କିପାଇଁ କ୍ଲେଶ ତୁମ୍ଭଙ୍କୁ ସେ ଲାଗି ।’’

ଏହା ଭାଷି ମୁଖେ ମୋର ରହିଲ ଅନାଇଁ

କରୁଣ ମିନତିପୂର୍ଣ୍ଣ ସତୃଷ୍ଣ ଦୃଷ୍ଟିରେ,

 

ସେ ଦୃଷ୍ଟିର ପୁଷ୍ପାଘାତେ ହୋଇ ମୁଁ ପ୍ରହୃତ

କହିଦେଲି ପକ୍ଷି-ନାମ, ‘‘ହଳଦୀବସନ୍ତ’’ ।

କି ହେବ ସେ ସତି ଆହା ଭାବିଲେ ଏ କାଳେ,

ଅତୀତ ସେ, ଯାଇଅଛି ଅତୀତରେ ବୁଡି,

 

ଯେ ଗଲା ସେ ଗଲା, ଆଉ ନ ଆସିବ ଫେରି,

ବହିବ କି ସିନ୍ଧୁମୁଖୀ ତଟିନୀ ଉଜାଣି ।

ସ୍ମରିଲେ ସେ କାଳ ତଥା, ଚେଇଁବି ପ୍ରଖରେ

ସୁଷୁପ୍ତ ବିରାଟ ଶୋକ ଅଦମ୍ୟ ଉତ୍ସାହେ ।

 

ଆଜୀବନ ତୁମ୍ଭଠାରେ ଋଣୀ ମୁଁ ସୁନ୍ଦରି,

ଧନ୍ୟ ତବ ସ୍ୱର୍ଥଶୂନ୍ୟ ପରୋପକାରିତା,

ଭାଗ୍ୟଦେବୀ ପରି ଦେବି ! ହେଲ ମୋତେ ସାହା

ପ୍ରବାସେ ସତତ, ମନ ଜାଣି କଲ ସେବା,

ଗୁଣବତି, ମଣୁଛି ମୁଁ ପ୍ରବାସେ ସ୍ୱବାସ

 

ତୁମ୍ଭ ଯୋଗୁଁ ଏକା, ଅହୋ କି ଅଦ୍ଭୁତ ଦୟା-

କି ଅପଟାନ୍ତର ସ୍ନେହ, ଦେବି, ସେହି ସେବା,

ସେହି ଦୟା, ସେହି ସ୍ନେହ ରଖିଅଛି ସିନା

ତୁମ୍ଭ ଆମ୍ଭ ସମ୍ମାନକୁ କରି ଆଚ୍ଛାଦନ ।

 

ତୁମ୍ଭ ପରି ସଙ୍କଟରେ ସାନ୍ତ୍ୱନାଦାୟିନୀ,

ଶୂଶ୍ରୂଷାକାରିଣୀ ରୋଗେ, ସୁଖରେ ସଙ୍ଗିନୀ,

ମୋହୋ ଦୀନ ଭାଗ୍ୟେ ନିଶ୍ଚେ ଦେବ-ଆଶୀର୍ବାଦ;

କି ଦ୍ରବ୍ୟେ ଶୁଝିବ ତବ ଉପକାରରାଶି,

 

ସେପରି ମହାର୍ହ ଦ୍ରବ୍ୟ କାହିଁ ବା ସଂସାରେ ?

ଆତ୍ମଦାନ ନୁହେଁ ଯାର ତିଳେ ପ୍ରତିଦାନ,

ଅଛି କି ପ୍ରତ୍ୟୁପକାର ସେ ଉପକାରର ?

ଖାଲି କି ଏତିକି, ପୁଣି କଲ ବାରମ୍ବାର

 

ପ୍ରାଣଦାନ, ପ୍ରାଣସଖି ଦୁର୍ଭାର ବିପଦେ ।

ଦୁଷ୍ଟ ଦୈତ୍ଯେ କରି ମୋର ପିଣ୍ଡ ଖଣ୍ଡ ଖଣ୍ଡ

ଦୁଷ୍ଟ ଭୁଞ୍ଜାଇଲେ ଶୁତ୍ରେ, ନ ଦେଖିଣ ମୋତେ

ହେଲ ତୁମ୍ଭେ ଜୀବନୃତ ଶୋକର ଅଧୀର,

ତହୁଁ ପିତା ତବ ଜଣିପାରି ଧ୍ୟାନବଳେ

 

ଦୈତ୍ୟଙ୍କ ଚକ୍ରାନ୍ତ ହୋଇ ଦୁଃଖିତ ବିଶେଷ

ଯୋଗବଳେ ଦେଇ ମୋତେ ପ୍ରାଣ, ଦିବ୍ୟଜ୍ଞାନ,

କହିଲେ ସମ୍ଭୋଧି ‘‘ବତ୍ସ, ଅର୍ପୁଛି ମୁଁ ତୋତେ

ମୃତ୍ୟୁସଂଜୀବନ ମନ୍ତ୍ର, ଅଭ୍ୟାସି ତୁ ତାହା

ବହିର୍ଗତ ହୋଇ ଖରେ ମୋ ଉଦର ମଧ୍ୟୁଁ

 

ସେହି ମନ୍ତ୍ରେ ଜୀଆଇବୁ ମୋତେ ସେହିକ୍ଷଣି’’

ଶୁଣି ଏ ବଚନ, କଲି ଗୁରୁ-ଆଜ୍ଞାମତେ

କାର୍ଯ୍ୟ, ମୋତେ ଦେଖି ତୁମ୍ଭେ ଲଭିଲ ଆନନ୍ଦ ।

ଆଜୀବନ କିଣା ମୁହିଁ ତବ ଗୁଣଧନେ,

 

ଉଚିତ କି ଦେବି, ଲଜ୍ଜା, କିଣାଜନ ପ୍ରତି ?

ସମ୍ବୋଧିଛ କବି ବୋଲି, ମାତ୍ର କିଏ କବି ?

 

ତୁମ୍ଭେ ଯେ ଅଦ୍ଭୁତ କବି, ବଚନ ତୁମ୍ଭର

ଜୀବନ୍ତ କବିତାମୟ, ଚାହାଣିଠାଣିରୁ,

 

ଆବର ଅମୃତ ସିକ୍ତ ମଧୁର ହାସ୍ୟରୁ

ଝରିପଡେ ପନ୍ତି ପନ୍ତି କବିତାରୁ ମୁକୁତା,

ତୁମ୍ଭେ ଗୋ ସ୍ୱାଭାବକବି ଯେଣୁ କବିକନ୍ୟା;

ପ୍ରତିଅଙ୍ଗେ ଖେଳେ ତବ ସୌନ୍ଦର୍ଯ୍ୟ କବିତା

 

ପ୍ରକାଶି ମଧୁର ଭାବ, ଗୂଢ଼ ଅର୍ଥଗର୍ଭ,

ତବ ଗୁଣ, ବୃବହାର, ଆଦର୍ଶ କବିତା ।

 

କି ହେତୁ ମଦନେ ଭୟ ? ନ ଗଣେ ମୁ୍ଁ ତାକୁ,

ଦୁଷ୍ଟ ସେହୁ ସତ୍ୟ, ମାତ୍ର ତା ଦୁଷ୍ଟପଣିଆ

ପ୍ରାକୃତ ମାନବଠାରେ, ଯେହୁ ହୀନଚେତା,

ଡ଼ରେ କି ତାହାକୁ ଭଲା ଉର୍ଦ୍ଧ୍ୱରେତା କେବେ ।

 

ବ୍ରତ ମୋର ବ୍ରହ୍ମଚର୍ଯ୍ୟ, ବସତି ଆବର

ଶୂତ୍ରଯୋଗୀ ଯୋଗାଶ୍ରମେ, ପଶି ଦୁଷ୍ଟ ଥରେ

ଯୋଗାଶ୍ରମେ, ଲଭିଛି ତ ଉପଯୁକ୍ତ ଶିକ୍ଷା

ଶଙ୍କର ସକାଶୁ, ପୁଣି କେବଣ ସାହସେ

 

ଛୁଇଁବ ଆଶ୍ରମ ସୀମା, ଡ଼ରେ ସେ ତାହାକୁ ।

ଳଭିଲ କି ଦେବି, ତବ ପତ୍ରର ଉତ୍ତର ?

ନ ଲଭିଛ ଯେବେ, ତେବେ ପଚାର ମନକୁ

ନିଜର, ଦେବ ସେ ନିଶ୍ଚେ ଯଥାର୍ଥ ଉତ୍ତର ।

 

ଋଷିବାଳା, ହେଉ ତବ ଜୀବନ ଆଦର୍ଶ

ଜଗତ ବାଳିକାକୁଳେ, ଏହା ମୋ ଆଶିଷ,

ସ୍ନେହର ଦୁଲାଳୀ ତୁମ୍ଭେ ବିଶ୍ୱବନ୍ଦନୀୟ

ଶୂକ୍ରାଚାର୍ଯ୍ୟଙ୍କର, ଜନ୍ମ ପୂତ ଋଷିକୁଳେ,

 

ଯେଉଁ କୁଳ ମଣ୍ଡି ଗାର୍ଗୀ ଅରୁନ୍ଧତୀ ଆଦି

ସତୀତ୍ୱ-ଚରିତ୍ର-ରାଜ୍ୟ-ପୂଜ୍ୟ-ପେଟେଶ୍ୱରୀ,

ଯାହାଙ୍କର କୀର୍ତିକଳା ଉଜ୍ଜ୍ୱଳ ପାବନ

ଯଜ୍ଞାନଳ ଯଥା, ସେହି ପୁଣ୍ୟ ମହାବଂଶେ,-

 

ସେହି ମର୍ତ୍ତ୍ୟଦେବୀ ବଂଶେ, ଜନମ ତୁମ୍ଭର,

ହୁଅ ତାଙ୍କ ଅନୂରୁପା ଅନୂରୁପ କର୍ମେ ।

ହେଉ ତୁମ୍ଭ ମତି ସଦା ଧର୍ମରେ ଅଚଳା,

ବୃଷ୍ଟି ହେଉ ଶିରେ ତବ ଦେବ ଆଶୀର୍ବାଦ,

 

ଗ୍ରାମ୍ୟ କଳୁଷିତ ଭାବ ନ ଛୁଉଁ ମାନସ,

ଗୁରୁକନ୍ୟା ତୁମ୍ଭେ ମୋର, ସମ୍ବନ୍ଧେ ଅନୁଜା,

ତ୍ରି ସନ୍ଧ୍ୟାରେ ତୁମ୍ଭ ପ୍ରତି ମୋର ଏ ଆଶିଷ,

ଏଥୁ ବଳି କି ସମ୍ଭବେ ଅଶ୍ରଜ ପକ୍ଷରେ ?

 

ମହାଶ୍ୱେତାଙ୍କ ପ୍ରତି ପୁଣ୍ଡରୀକ

 

ଅର୍ପେ ଆଶୀର୍ବାଦ ଦୀନ ତାପସ-ତନୟ

ପୁଣ୍ଡରୀକ, ନୃପସୁତେ ! ହେଉ ତା ଗୃହୀତ ।

ଆଦରିଣୀ ରାଜକନ୍ୟା ତୁମ୍ଭେ ଜେମାଦେଈ

ପରମ ସୌଭାଗ୍ୟବତୀ, ସ୍ୱୟଂ ପଦ୍ମାଳୟା

ତୁମ୍ଭର ଗନ୍ତାଘରାଣୀ, ଅପୂର୍ବ ତୁମ୍ଭଙ୍କୁ

କେଉଁ ଦ୍ରବ୍ୟ ଭବେ, ତଥାପି ଯା କଲ

ମୋର ମନ ଧନେ ଚୋରି, ଆଶ୍ଚର୍ଯ୍ୟ ଏହାହିଁ,

ଏ ବିଦ୍ୟା ଶିଖିଲ କାହୁଁ ରାଜକନ୍ୟା ହୋଇ ?

ସେ ଅପରାଧର ଏବେ ଉପଯୁକ୍ତ ଶାସ୍ତି

ଲଭିବି ସୁନ୍ଦରି ତୁମ୍ଭେ, କରି ଶୃଙ୍ଖଳିତ

ପ୍ରଣୟ-ଶୃଙ୍ଖଳେ ଆଜି, ହୃଦ-କାରାଗାରେ

ରଖିବି ତୁମ୍ଭଙ୍କୁ ଚିର-ବନ୍ଦିନୀ କରିଣ,

ପ୍ରେମ-ରାଜ୍ୟେ ଏହି ଶାସ୍ତି ଶାଶ୍ୱତ ବିଧାନ ।

ନୁହେଁ ସଇସୁନା, ଧନି, ତବ ଚୋରି ଦ୍ରବ୍ୟ,

ସେ ସିନା ପଡିଆ ସୁନା, ନୁହେଁ ରାଜଯୋଗ୍ୟ

କି କରିବ ତାହା ନେଇ ପାରୁ ନାହିଁ ବୁଝି ।

 

ବୈରାଗୀ ମୁଁ, ତ୍ୟାଗୀ, ତ୍ୟାଗ କରିଛି ସକଳ,

ବୃଥା ମନ-ଧନେ ଅବା କି କାର୍ଯ୍ୟ ମୋହର,

କରିଥାଅ ଏ ବିଚାରେ ଯଦି ତା ହରଣ,

ତେବେ ଘେନ ଆଶୀର୍ବାଦ, ଅଦୃଷ୍ଟେ ତୁମ୍ଭର

ଘଟୁ ଯତି-ପରିଚର୍ଯ୍ୟା, ମହାବ୍ରତ ସଦା,

ପ୍ରଭୁପଦ-ପୁଣ୍ଡରୀକେ ଲଭ ଗୁଣବତି ! *

ଭ୍ରମୁ ଭ୍ରମୁ ବନେ ଆଜି କପିଞ୍ଜଳ ସହ

ମିଳିଲି ଆଚ୍ଛୋଦ ତୀରେ ଅଭକିର୍ତେ ଆସି ।

ଭେଟାଏ ସଂଯମ ଯଥା ଶାନ୍ତିକୁ ସାଧକ

ସତ୍ଵ,ତଥା ଭେଟାଇଲା,ସ୍ଵୋଭାଗ୍ୟ ମୋହର

ତବ ସତ୍ଵ ମୋତେ,ରହି ଅନ୍ତରାଳେ ତହୁଁ

 

ଈଶ୍ୱରଙ୍କ ପାଦପଦ୍ମ ଲାଭକର-ଏହା ବାହ୍ୟିକ ଅର୍ଥ ଏବଂ ପ୍ରଭୁପଦ [ବ୍ୟବସାୟ] ଯାହାର,

ଅର୍ଥାତ୍ ଈଶ୍ୱରପରାୟଣ ପୁଣ୍ଡରୀକକୁ [ମୋତେ] ଳାଭକର, ଏହା ଶ୍ଳେଷାର୍ଥ ।

 

ଭ୍ରମୁ ଭ୍ରମୁ ବନେ ଆଜି କପିଞ୍ଜଳ ସହ

ମିଳିଲି ଅଚ୍ଛୋଦ ତୀରେ ଅତର୍କିତେ ଆସି ।

ଭେଟାଏ ସଂଯମ ଯଥା ଶାନ୍ତିକୁ ସାଧକ

ସହ, ତଥା ଭେଟାଇଲା, ସୌଭାଗ୍ୟ ମୋହର

 

ତବ ସହ ମୋତେ, ରହି ଅନ୍ତରାଳେ ତହୁଁ

ଦେଖିଲି ତୁମ୍ଭର ଜଳକେଳି, ବୁଡିଥିଲା

ଶରୀର ସଲିଳେ, ମୁଖ ଯାଇଥିଲା ମିଶି

ଶୋଭାନିଧି ଫୁଲରାଣୀ କମଳିନୀ ସହ ।

 

ଆହା କି ସୁନ୍ଦର ମୁଖ, ଏକଇ ମୃଣାଳେ

ଫୁଟିଅଛି ତିନି ଜାତି କମଳ କିବା ସେ,

ସୁବର୍ଣ୍ଣ କମଳ ଛବି ବଦନମଣ୍ଡଳ,

ତହିଁ ମଧ୍ୟେ ଶତଦଳ ନେତ୍ର, ତାହା ମଧ୍ୟେ-

 

ପୁଣି ଡ଼ୋଳା-ଇନ୍ଦ୍ରାବର ଦିଶେ ଢ଼ଳ ଢ଼ଳ,

ହାସ୍ୟେ ଦଶନାଗ୍ର ଫୁଟି ଦିଶି ଅଳ୍ପ ଅଳ୍ପ

ପୁଷ୍କରପନ୍ତିର ଭ୍ରାନ୍ତି ଆଣିଲାକ ମନେ ।

ପ୍ରଥମେ ମଣିଲି ନିଶ୍ଚେ ବସନ୍ତ-ଲକ୍ଷ୍ମୀ ଏ,

 

କରୁଛନ୍ତି ନିକାଞ୍ଚନେ ଜଳକେଳି ଏଥି,

କିନ୍ତୁ ପରକ୍ଷଣେ ଭ୍ରମ ଭାଙ୍ଗିଲା ମୋହର

‘‘ଜେମାମଣି’’ ସମ୍ବୋଧନ ଶୁଣି ଚବ ପ୍ରତି

ସଙ୍ଗିନୀ ତରଳିକାର, ମଧୁର ଆହ୍ୱାନ,

 

କେଜାଣି କାହିଁକି ତହୁଁ ଅଚିହ୍ନା ପ୍ରୀତିର

ବିଦ୍ୟୁତ ପ୍ରବାହ କାହୁଁ ଆସି ଅକସ୍ମାତ

ସ୍ବର୍ଶିଲା ଅନ୍ତର ଭେଦି ମୋର ମର୍ମସ୍ଥଳ,

ଉଠିଲା ଶୀତେଇ ଦେହ ଅଜ୍ଞାତ ବିକାରେ,

ନିଜ ବଶୁଁ ଖସିଗଲା ମନ ଅଣାୟତେ ।

 

ଦେଖି ମୋର ଭାବାନ୍ତର, ପୁଚ୍ଛନ୍ତେ କାରଣ

ସଖା, ‘‘ଶିରଃପୀଡା’’ କହି ଛଳିଲି ତାହାଙ୍କୁ ।

ସ୍ୱାନାନ୍ତେ ଉଠିଲ ତୀରେ, ଦେହୁ-ବିଜଡିତ-

ଆର୍ଦ ପଟ୍ଟବାସୁଁ ପଡୁଥାଏ ଜଳଧାରା,-

ସୌମ୍ୟ ଶୋଭାଧାରା ସହ ତଳକୁ ନିଗିଡି ।

 

ଝଟକିଲା ତନୁ ତବ ପୂର୍ବରୁ ଦ୍ୱିଗୁଣ,

ସାରି ସିନ୍ଧୁସ୍ନାନ, ଭେଦି ଉଷା-ଅରୁଣିମା

ଉଠିଲା କି କାବ୍ୟତାରା, ତରଳ ସ୍ୱର୍ଣ୍ଣାଙ୍ଗୀ,

ଅବା ଫୁଟିଦିଶେ ବିଦ୍ୟୁ ରଙ୍ଗ ବଳାହକୁ ।

 

ବନ୍ଦି ହରଗୌରୀ ପଦ ଗମିଲା ହରଷେ

ଜନନୀ ସଜନୀ ମଧ୍ୟେ ନବରାଭିମୁଖେ,

 

କରନ୍ତି କି ବିଜେ ସତୀ ହିମାଦ୍ରି-ଘରଣୀ

ମେନକା, ତା ପଛେ ଉମା, ତହିଁ ପଛେ ଜୟା

 

ଉମା ପ୍ରିୟ ସହଚରୀ, ଗିରି ଅନ୍ତଃପୁରେ ?

ଅବା କ୍ଷମା ପ୍ରୀତି ବେନି, ଦୟାଦେବୀଙ୍କର

କରନ୍ତି ଅନୁଗମନ, କିମ୍ବା ଭକ୍ତି ପଛେ

ଶ୍ରଦ୍ଧା, ତହିଁ ପଛେ ସେବା ଚାଲିଛନ୍ତି କ୍ରମେ,

 

ଅଥବା ଏସନ ପ୍ରତେ, ପରିଗ୍ରହ ରୁପ

ବିଦ୍ୟା ବୁଦ୍ଧି, ବିହରନ୍ତି ପ୍ରତିଭା ସହିତେ ।

ଶୋଭୁଥିଲ ମଧ୍ୟେ ତୁମ୍ଭେ, ଶୋଭେ ଯଥ ଉଷା

ଶୋଭାଭୂଷା, ପୌରନ୍ଦରୀ କୁଆଁ ତାରା ମଧ୍ୟେ ।

 

ଗତିକାଳେ ବାରମ୍ବାର ଚାହୁଁଥିଲ ଧନି,

ମୋର କର୍ଣ୍ଣଭୂଷା ରକ୍ତ ମନ୍ଦାର କୋରକେ-

ସଖା-ସ୍ନେହଦତ୍ତ, ପୁଣି ସଖା-ବିରଚିତ,

ଅସମ୍ଭାଳ ଲୋଭଲିପ୍ତ ଶୀତଳ ଦୃଷ୍ଟିରେ,

 

ବୁଝିପାରି ବିନୋଦିନି, ଅଭୀଷ୍ଟ ତୁମ୍ଭର

ଚକ୍ଷଣେ କର୍ଣ୍ଣରୁ ଫେଇ ସେ ବେନି ମଞ୍ଜରୀ,

 

ପିନ୍ଧାଇଦେଲି ମୁଁ ତୁମ୍ଭ ଶ୍ରବଣଯୁଗଳେ,

ତହିଁ ସଙ୍ଗେ ପିନ୍ଦାଇଲି ହୃଦମନପ୍ରାଣ

 

ଏହି ତିନି ଫୁଲେ ଗୁନ୍ଥି ଗୁଚ୍ଛ, ଶୋଭିଲା ସେ

ମୁଖେନ୍ଦୁ ଦ୍ୱିପାଶେ ଯୁଗ୍ମ କୃତ୍ତିକା ସଙ୍କାଶ ।

ପ୍ରତିଦାନେ ରୁପବତି, ବିହିଇ ମୋ ପଦେ

ପ୍ରଣତି, -ଭକତି-ଶ୍ରଦ୍ଧା-କୃତଜ୍ଞତାବ୍ୟଞ୍ଜୀ,

 

ଆହା କି ଅନନୁଭୂତ ଅମୃତ ପରଶ,

ସୁଖମୟ ସେ ସ୍ପର୍ଶର ସ୍ନିଗଧ ଶୀତଳତା

ନାହିଁ ଚନ୍ଦ୍ର ଚନ୍ଦ୍ରିକାରେ ଅଥବା ଚନ୍ଦନେ ।

ମାତ୍ର ସେହି ସ୍ପର୍ଶସୁଖ ଗୀର୍ବାଣ-ଲୋଭିତ,

 

ହେଲା ନାହିଁ ସ୍ଥାୟୀ ଦାୟୁ ଦଣ୍ଡେ କି ଘଡିଏ,

ନିମିଷେ ମୋ ମନ୍ଦଭାଗ୍ୟ ନେଲା ତା ଛଡାଇ ।

ଅନନ୍ତର ହେଲ ତୁମ୍ଭେ ଦୃଷ୍ଟିରୁ ଅନ୍ତର-

ଛେଦି ମୋର ଧୌର୍ଯ୍ୟ-ତରୁ-କଟାକ୍ଷ-କୁଠାରେ,

କି ଭାବିଲା କେଣେ ଗଲା ମନ, ଜାଣେ ତା ସେ ।

 

କ୍ରମଶଃ ବଢ଼ିଲା ବେଳ, ସଖା ଅନୁରୋଧେ

ହୋଇଣ ବିରତ ତହୁଁ ଅରଣ୍ୟ-ବିହାରୁ,

ପ୍ରୀତିର ପ୍ରଥମ କ୍ଷତ ବହି ମର୍ମସ୍ଥଳେ,

ନୈରାଶ୍ୟର ତପ୍ତଶ୍ୱାସ ମିଶାଇ ସମୀରେ

 

ପ୍ରୀତି-ସଂସାରରେ ମୁହିଁ ପ୍ରଥମ ପ୍ରବେଶୀ,

ନାହିଁ ଉପଯୁକ୍ତ ସଙ୍ଗୀ, (ତୁମ୍ଭ ବିନା କିଏ)

କର୍ତ୍ତବ୍ୟେ ପଠନେ କାହିଁ ନ ଲାଗିଲା ମନ,

ହୃତରତ୍ନ ଦୀନ ପ୍ରାୟ ହେଲି ଛଟପଟ,

 

ବେଳୁଁ ବେଳ ବୃଦ୍ଧି ଲଭି ବିରହ ସନ୍ତାପ,

ବାକ୍ୟେ ଅର୍ଥ ପ୍ରାୟ ମୋତେ ଧରିଲା ଆକଟି,

ଅସହ୍ୟ ସେ ତୀବ୍ରଜ୍ୱାଳା, ନ ପାରି ସମ୍ଭାଳି

ପଶିଲ ସରସୀ ଜଳେ, ଦାହଶାନ୍ତି ଅର୍ଥେ,

 

ମାତ୍ର ହା ଦୁର୍ଭାଗ୍ୟ, ମୋର ଶରୀର ପରଶେ

ହେଲା ସରଜଳ ଉଷ୍ଣ, ଅଦ୍ଭୁତ ଏ କଥା ।

ତହୁଁ ନବ କିଶଳୟେ ରଚି ଆସ୍ତରଣ

ନିହିଲି ଶରୀର ତହିଁ, ସେ ଶୀତଳଶଯ୍ୟା

 

ପ୍ରତେ ହେଲା ଅବିକଳ ଅଗ୍ନିଶଯ୍ୟା ପ୍ରାୟ,

ଶମେ ଜଳେ କିଶଳୟେ ବାହ୍ୟିକ ଉତ୍ତାପ,

ଅନ୍ତର୍ଗତେ ପ୍ରଜ୍ଜ୍ୱଳିତ ବିରହ-ଅନଳେ

ଶୀତଳିବ କିଏ, ବିନା ମିଳନ-ସଲିଳ ?

 

ବିଞ୍ଚିଲେ ବୟସ୍ୟବର, ସିଞ୍ଚିଲେ ସଲିଳ

ଦେହେଁ, ମାତ୍ର ତାହା ଜଣାଗଲା ମୋତେ ଯେହ୍ନେ

ପାବକ ଫୁତ୍କାର ଅବା ପାବକ ପିଚିକା ।

ଦୁର୍ବାର ବିରହ ଚିନ୍ତା ଘାରିଲା ଅନ୍ତର;

 

ତା ଉପରେ ସାଡ଼ମ୍ବରେ ସାତ୍ତ୍ୱିକ ବିକାର

ଆକ୍ରମି ପ୍ରବଳ ବେଗେ, ବୁଡ଼ାଇଲା ଚେତା ।

କବିର ବ୍ୟାବହାରିକ ଜୀବନକୁ ଯଥା

କରିଦିଏ କାବ୍ୟମୋହ ଅଶକ୍ତ ଦୁର୍ବଳ

 

ପୁଣି ଅକର୍ମଣ୍ୟ, ତଥା ପ୍ରୀତିମୋହ ଧର୍ମ,

ପ୍ରୀତିର ବିଚ୍ଛେଦେ ମନ ନ ମାନେ ପ୍ରବୋଧ ।

ନ ଭଜେ ସୁଶାନ୍ତି, ସଦା ଉଡିବୁଲେ କାହିଁ,

କୋଟି ଉପଦେଶ ଯାଏ ବାୟୁରେ ମିଳାଇ,

 

ସ୍ୱଭାବ କଠିନ ଶିଳା, ଢ଼ାଳିଲେ ସଲିଳ

ଲଭିବ କି କୋମଳତା ତାହା କେଉଁ କାଳେ ?

ଯେ ପ୍ରୀତି ପିନ୍ଧାଏ ଗଳେ ସୁଖ-ପୁଷ୍ପମାଳ,

ସେହି ପ୍ରୀତି ପୁଣି ଆହା ନିକ୍ଷେପେ ନେଇଣ

 

ଯନ୍ତ୍ରଣାର ପ୍ରଜ୍ଜ୍ୱଳିତ ହୁତାଶନ କୁଣ୍ଡେ,

କେବେ ଶାନ୍ତି-ନିର୍ଝରିଣୀ, କେବେ ଅଶାନ୍ତଦା ।

ଚଞ୍ଚଳ ସେ ପ୍ରୀତି, ପ୍ରିୟେ, ପ୍ରେମଦାନ ଅର୍ଥେ,

ଚଞ୍ଚଳ ଯେସନ ଚନ୍ଦ୍ର, ତାରକାରମଣ,

 

ଜଗତକୁ ଦେବାପାଇଁ ନିଜସ୍ୱ ଆଲୋକ ।

ମାରିଦିଏ ପ୍ରେମ ଖଣ୍ଟ ନୈତିକ ଜୀବନେ,

ଆବର ସେ ଜୀର୍ଣ୍ଣଶୀର୍ଣ୍ଣ ଅସାଢ଼ ହୃଦୟେ

ଉତ୍ସାହ-ଔଜଲ୍ୟେ କରେ ପ୍ରଦୀପ୍ତ କ୍ଷଣକେ ।

 

ଏ ବିଶ୍ୱ ପ୍ରେମର ବଶ, ଗାଏ ସମୀରଣ

ପ୍ରେମର କବିତା ସଦା ସନସନ ସ୍ଵନେ,

ଗାଉଛି ଅମ୍ବୁଧି ଉଚ୍ଚେ ଅମୃତ କବିତା,

ବନକବି ପକ୍ଷୀ ଗାଏ ପ୍ରେମ-କାବ୍ୟ ମୋଦେ,

 

ପ୍ରେମର ଉଦାସ ଗୀତି ଗାଉଛି ବାଳକ,

ଗାଉଛି ଯୁବକ ମୌନେ ଅଧୈର୍ଯ୍ୟ ପ୍ରଳାପେ,

ଗାଏ ବୃଦ୍ଧ ପ୍ରେମଗୀତ ପ୍ରାଣର ଭାଷାରେ,

ସକଳର ଗୁରୁ ପ୍ରେମ, ଦିଏ ସର୍ବେ ଦୀକ୍ଷା ।

 

ଅନନ୍ତର ମୁର୍ଚ୍ଛା ମଧ୍ୟେ ଦେଖିଲି ସ୍ୱପନେ-

ପଶିଲି କାନନେ ପୁଷ୍ପ-ଆହରଣ ଆଶେ,

ସ୍ୱଭାବେ ବସନ୍ତକାଳ, ଦୁଯେ ବନଭୂମି-

ପ୍ରକୃତିର ବିଶୃଙ୍ଖଳ ଉଦ୍ୟାନ ବାଟିକା,

 

ବସନ୍ତ-ଲକ୍ଷ୍ମୀଙ୍କ ସହ ବନଲକ୍ଷ୍ମୀଙ୍କର

ଶୁଭ ସମ୍ମିଳନ; ମାତ୍ର କିଏ ବା କାହାକୁ

କରିଛି ସୁନ୍ଦରତର ହେଉ ନାହିଁ ବାରି ।

ଫୁଟିଛି ବିବିଧ ଫୁଲ, କେତେ ତରୁଲତା

 

ଆପାଦମସ୍ତକ ମଣ୍ଡି କୁସୁମ-ଭୁଷଣେ,

ମୃଦୁ ବାତେ ମୃଦୁ ମୃଦୁ ଦୋହଲି ଦୋହଲି

ଗନ୍ଧର୍ବ ଅପସରା ନୃତ୍ୟ ଅଛନ୍ତି ବିସ୍ତାରି,

ବଜାଏ ବେହେଲା ଅଳି କର୍ଣ୍ଣପ୍ରିୟ ସ୍ୱରେ,

 

ବସନ୍ତ-ବାସବଙ୍କର ମହାସଭା ବନ;

ପୂର୍ଣ୍ଣ ସଦା ତାହା ବହୁ ବଳ୍କଳୀ, ସୁମନେ *

ଦେଖି ଦେଖି ବନଶୋଭା ତୋଳୁଛି କୁସୁମ,

ଏ କାଳେ ପଶ୍ଚାତୁ ତୁମ୍ଭେ ଆସି ଗୋପନରେ

 

ଢ଼ାଙ୍କିଦେଲ ଆଖି ମୋର କୋମଳ ଶ୍ରୀକରେ,

ଧରି ତୁମ୍ଭ କରଯୁଗ ବୋଇଲି ମୁଁ ତହୁଁ,

ଚୋର ଆଜି ପଡିଅଛି ଧରା, ଚିହ୍ନିଲି ମୁଁ,

ନିଶ୍ଚେ ଏ ଅମୃତ ସ୍ପର୍ଶ ମନଚୋରଣୀର,

ଅର୍ପିବ ଉଚିତ ଦଣ୍ଡ ବେଗେ ଏହି ଦଣ୍ଡେ ।

 

ଏହା କହି ଚାଙ୍ଗୁଡାସ୍ଥ ଆହୁତ କୁସୁମେ

ରଚିଲି ତୁମ୍ଭର ବେଶ, ମାତ୍ର ସେ କୁସୁମେ,

ପ୍ରତି ଅଙ୍ଗେ ଦେଖି ତବ ପୁଷ୍ପର ଉପମା

ଧରିଲେ ପାଣ୍ଡୁର ଛବି ମହାଭାଳୁଣୀରେ;

କିନ୍ତୁ ତବ ଅଙ୍ଗସ୍ପର୍ଶେ ଦିଶିଲେ ସୁନ୍ଦର ।

 

ସେ କାଳେ ଧରିଲ ତୁମ୍ଭେ ପୁଷ୍ପ-ପିତୁଳାର

ଛବି ପୁଷ୍ପପରିଚ୍ଛଦା-ପୁଷ୍ପ ଅଳଙ୍କୃତା,

 

ପିଇଲି ପ୍ରେୟସି, ସେହି ରୁପ-ମଧୁ ତବ

ନେତ୍ର-ତୁଣ୍ଡେ, ହେଲି ଧନ୍ୟ ପୁଣି ସଫଳାଶ,

ନିକ୍ଷେପି ଅପାଙ୍ଗ ଦୃଷ୍ଟି ତୁମ୍ଭେ ଥରେ ଥରେ

 

ପରମ କୃତାର୍ଥ ପ୍ରିୟେ କରୁଥିଲ ମୋତେ,

ମାତ୍ର ହୁଅ ଅଧୋମୁଖୀ ମିଳନ ସମୟେ-

ଚାରି ଚକ୍ଷୁ, ଭଜେ ଗଣ୍ଡ ଲଜ୍ଜାରେ ପାଣ୍ଡିମା

ପୁଷ୍ପଲତା ତୁମ୍ଭଙ୍କୁ ଗୋ ମଣି ପୁଷ୍ପସ୍ମିତେ,

ଚାହିଁଲା ସତୃଷ୍ଣ ନେତ୍ରେ ମୃଗଟିଏ ଦୁରେ,

 

ଚାହିଁଲ କଟାକ୍ଷେ ତାକୁ, ଦେଖି ଏହା ମୁହିଁ

କୋପିଲି କୁରଙ୍ଗ ପ୍ରତି, ଯେଣୁ ମୋର ପ୍ରାପ୍ୟ

(ସେ କଟାକ୍ଷଟିକ) ନେଲା ସେ ଛଡ଼ାଇ, ତହୁଁ

ଭର୍ତ୍ସିଲି ତାହାକୁ, କହି ରୁଢ଼ ସ୍ୱରେ ଏହା,

ବଳକଳୀ-ଋଷି ଏବଂ ବୃକ୍ଷ ।

ସୁମନ-ଦେବତା ଏବଂ ଫୁଲ ।

 

‘‘ଯା ରେ ତୋ ମୃଗୁଣୀ କତି, ଏ ମୃଗନୟନା

କାନନ-ନିବାସୀ ଏହି ନିରୀହ ମୃଗର,

 

ଆସିଲୁ ପ୍ରିୟାକୁ ଛାଡି, ନିର୍ବୋଧ ପଶୁ ତୁ,

ବୁଝିବୁ କେମନ୍ତେ ଭଲା ପ୍ରୀତିର ମହିମା ।’’

 

ବୁଲି ବୁଲି କ୍ଲାନ୍ତ ହୋଇ କୁଞ୍ଜେ, ବସିଲି ମୁଁ ପାଶେ,

କୁଞ୍ଜ-ଚୂଡ଼େ ବସିଅଛି ପକ୍ଷି-ନହବତ,

ଉଠୁଛି ସଘନେ କେତେ ମଧୁବାଦ୍ୟ ସ୍ୱର,

ମଣ୍ଡିହୋଇ ସେ ମଣ୍ଡପ କୁସୁମସମ୍ଭାରେ

ବିବାହ-ବେଦିକା ଛବି କରିଛି ଧାରଣ ।

 

ମୋର ପ୍ରୀତି ତୁମ୍ଭ ପ୍ରୀତି ବରକନ୍ୟା ତହିଁ,

ଆମ୍ଭେ ଦୁହେଁ ବରକର୍ତ୍ତା କନ୍ୟାକର୍ତ୍ତା ମାତ୍ର,

ବନବାୟୁ ସ୍ୱନ ଛଳେ କରି ମନ୍ତ୍ରପାଠ

ଅବିଛେଦ ପୁରୋହିତ, ଅନୁରାଗ-ସୂତ୍ରେ

 

ପକାଇଲା ହାତଗଣ୍ଠି, ବରକନ୍ୟା ବେନି

ମିଶି ହୋଇଗଲେ ଏକ, ଏକ ହୁଏ ଯଥା

ପ୍ରକୃତି ପ୍ରତ୍ୟୟ ମିଶି ଶବ୍ଦ ପ୍ରକରଣେ;

ଅର୍ପିହେଲେ ଆମ୍ଭେ ବେନି ଅତୀତ ସନ୍ତୋଷେ

ଯୌତୁକ ସ୍ୱରୁପେ, ସେହି ମଙ୍ଗଳ ବିବାହେ ।

 

ଭାଙ୍ଗିଲା ଏ କାଳେ ମୂର୍ଚ୍ଛା ବସିଲି ମୁଁ ଉଠି,

ପ୍ରତେ ହେଲା ଯେହ୍ନେ ଖସି କେବେଣ ସ୍ୱର୍ଗରୁ

ପଡିଲା ଦୁର୍ଭାଗ୍ୟେ ଆସି ମର୍ତ୍ତ୍ୟେ ଅକସାତ ।

 

ଏମନ୍ତ ସମୟେ ଆସି ସଖା କପିଞ୍ଜଳ

ଆଣିଦେଲା ତବ ପତ୍ର, (ପତ୍ର ନୁହେଁ ତାହା,

ବିରହି-ଶବର ଆହା ସଂଜୀବନୀ ମନ୍ତ୍ର)

ଆଣିଦିଏ ଯଥା ବାୟୁ, କୁସୁମ ସୁରଭି

 

ଅଳି କରି । ଭୁର୍ଜପତ୍ରେ ଅଳକ୍ତକ ଲେଖା,

ଆଣିଲା ସେ ବର୍ଣ୍ଣପନ୍ତି, ବର୍ତ୍ତୁଳ ଚଟୁଳ,

ପ୍ରବାଳ ହାରର ସ୍ମୃତି, ତବ ବକ୍ଷଶୋଭୀ;

ମୁଦ ଫେଇ ମୁଦ ଲଭି କଲି ପତ୍ର ପାଠ ।

 

ଆସିବ ସାୟାହ୍ନେ ତୁମ୍ଭେ ହେଲି ମୁଁ ଆଶ୍ୱସ୍ତ,

ବସିଅଛି ପଥ ଚାହିଁ, କୁସୁମ-ମଞ୍ଜରୀ-

ପ୍ରତି ଚାହିଁ ରହେ ଚୋର ବସନ୍ତ ଯେସନ ।

ସନ୍ଧ୍ୟାସହ ସନ୍ଧ୍ୟାରୁପେ ଆସ ଗୋ ବହନ,

 

ଦିବାନ୍ଧକୁ ଚକ୍ଷୁଷ୍ମାନ କରିବ ପ୍ରଦୋଷ,

ଚକ୍ଷୁଦାନ ଦେବ ତୁମ୍ଭେ ଏହି ପ୍ରେମାନ୍ଧକୁ,

କରୁଛି ସନ୍ଧ୍ୟାକୁ ସ୍ତୁତି, ଆସିବାକୁ ଖରେ,

କଲେ ସେ ବିଳମ୍ବ, ନିଶ୍ଚେ ଜୀବନେ ମୋହର

ଆସିବ ଅକାଳ ସନ୍ଧ୍ୟା ଥାଉଁ ଥାଉଁ ଦିନ ।

 

ଆଜି ପୁଣ୍ୟ ଶିବରାତ୍ରି, ଉଜାଗର ରାତ୍ରି,

ରହି ଉଜାଗର ବେନି, ହରଗୌରୀ ପଦେ

ମାଗିନେବା ଇଷ୍ଟବର ତାଙ୍କରି ବିଭୂତି *

କରାଇ ପ୍ରସନ୍ନ ତାଙ୍କୁ ଏକାନ୍ତ ଭକ୍ତିରେ ।

* ହରଗୌରୀ ଏକମୁର୍ତ୍ତି; ସତରାଂ ବିଚ୍ଛେଦ ନାହିଁ ।

 

ମାୟାବତୀଙ୍କ ପ୍ରତି ମଦନ

 

ପ୍ରିୟେ, ଅଜି ସୌଭାଗ୍ୟର ସୁବର୍ଣ୍ଣ ସୁଦିନ

ବିପନ୍ନର ମଦନ ପକ୍ଷେ, ସୁପ୍ରସନ୍ନ ଆଜି

ଅମରେ ତା ପ୍ରତି, ବର୍ଷି ଶୀତଳ ଆଶିଷ ।

ଚିହ୍ନିଲି ଚିହ୍ନିଲି ଏବେ ତମ୍ଭଙ୍କୁ କେଳତି,

ଚିହ୍ନି ମୁଁ ଲଜ୍ଜାବନତ, ସ୍ମରି ତୁମ୍ଭ ପ୍ରତି

ପୂର୍ବ ଅକରଣୀ ମୋର ଘୃଣାପ୍ରଦର୍ଶନ ।

ତହିଁ ପାଇଁ ଅନୁତପ୍ତ ଏବେ, ଏହା ସିନା

ଯୋଗ୍ୟ ପ୍ରାୟଶ୍ଚିତ୍ତ, ଦେବି, ସେ ମହାପାପର,

କ୍ଷମିବ ସ୍ୱଗୁଣେ ତୁମ୍ଭେ ଏତିକି ମାଗୁଣି ।

ବାରମ୍ବାର ହୋଇ ମୋର ବିପଦେ ସହାୟ

ସାଧିଲ ମହୋକର କଲ ମୋତେ ଋଣୀ,

ସେ ପୁଣ୍ୟର ଫଳ କି ଗୋ ବିରକ୍ତି ଲାଞ୍ଛନା ।

କି ଚାରା ମୋହର ସତି, କ୍ରୁର ଜନ୍ମାନ୍ତର

ଦେଇଥିଲା ପୂର୍ବସ୍ମୃତି ସମୁଳେ ନିଭାଇ,

ଯେସନ ଶରତ ଆସି ନିଭାଏ ସତ୍ୱର

ବର୍ଷାସୃଷ୍ଟ ଇନ୍ଦ୍ରଧନୁ ଶବଳିତ ଶୋଭା ।

 

ତୁମ୍ଭର ଏ ପତ୍ର ସେହି ସ୍ମୃତିର ଜାତକ,

ଅଥବା ପୁରୁଣା ପୋଥି ପାସୋରା ପାଠର,

ପଢ଼ି ତାହା, ଧାଏଁ ହୃଦ ତବ କତି, ଯଥା

ନିଦାଘ-ମଧ୍ୟାହ୍ନ-କ୍ଲାନ୍ତ ଆତୁର ପଥିକ

ଧାବେ ଛାୟା ପାଶେ-ସ୍ନିଗଧ ବିରାମଦାୟିନୀ ।

 

ସ୍ମୃତି-ଅଗ୍ନିଶିଖା ଥିଲା ବିସୃତି-ପାଉଁଶେ

ଆଚ୍ଛାଦିତ, ତବ ପତ୍ର ପବନ ରୂପରେ

ଦେଲା ତା ଉଡାଇ; ହେଲା ଅଗ୍ନି ଦାଉ ଦାଉ ।

ପୂର୍ବର ଘଟଣାବଳୀ ଗୋଟି ଗୋଟି ହୋଇ

ପଡ଼ୁଅଛି ମନେ, ଯଥା ସନ୍ଧ୍ୟାଗମେ ନଭେ

ଫୁଟିଉଠେ କୋଟି କୋଟି ଦିବାଲୁପ୍ତ ତାରା ।

 

ତାରକା-ଦୌରାତ୍ମ୍ୟ ପୁଣି ମହେନ୍ଦ୍ରଦୟିନୀ

ହେଉଛି ସକଳ ହେତୁ, ଅହୋ, ସେ କାଳର

ସେହି ହରକୋପାନଳ, ଦେହାନ୍ତରେ ସୁଦ୍ଧା

ଦହୁଛି ହୃଦୟ ମୋର, ସ୍ମରି ସେ ସଙ୍କଟ

ଥରଥରେ ଦେହ, ଯଥା ବରଡ଼ା ପତର ।

 

ଯେ ସମ୍ପର୍କ ଆଲୋକର ଅନ୍ଧାର ସହିତ,

ତୁମ୍ଭର ଶମ୍ବର ସହ ସେ ସମ୍ପର୍କ ବୋଲି

ଲେଖିଛି ପ୍ରେୟସି ଯାହା, ତାହା ସ୍ୱାଭାବିକ,

ମାନସର-ବିହାରିଣୀ-ରାଜହଂସୀ କେବେ

ଲୋଡ଼େ କି ପଲ୍ୱଳ-ପଙ୍କ ଶୈବାଳ କଳୁଷ !

 

ଜଡ଼େ ରତ୍ନ କାଞ୍ଚନରେ, ଲୌହେ ନୁହେଁ କଦା,

ସୁଜିଛି ବିଧାତା ସିନା ରସାଳମଞ୍ଜରୀ

ବନକବି ପିକ ପାଇଁ, ନୁହେଁ କାକ ଲାଗି,

ଛୁଇଁବ ତୁମ୍ଭଙ୍କୁ ଦୁଷ୍ଟ କେବଣ ସାହସେ,

ଆଜ୍ୟ ଅନଳର ଭୋଗ୍ୟ, ନୀଚ ସାରମେୟ,

ଲଭିବି ବା କାହୁଁ ତାହା, -ଅମେଧ୍ୟ-ଆହାରୀ ।

 

ମୃଗ ବିନା ହିଂସ୍ର କିନ୍ତୁ ଭାଗ୍ୟରେ କଦାପି

ଘଟେ କି ପବିତ୍ର କୁଶ ଅଙ୍କୁର ଯୂଥିକା ।

ପୁଣ୍ୟ ଭଗବତଗୀତା ଛୁଇଁଲେ ଚଣ୍ଡାଳ

ମାଂସସିଦ୍ଧ ହସ୍ତେ, ତାହା ସହିବ କି ତାକୁ !

 

ନିଜର କୃତିତ୍ୱ ଯାହା ବଖାଣିଛ ରତି,

ନୁହେଁ ତା ଅନ୍ୟଥା କିମ୍ବା ନୁହେଁ ତା ଅତ୍ୟୁକ୍ତି;

 

ବରଂ ତୁମ୍ଭ କୃତିତ୍ୱର ମୁଲ୍ୟ ତୁଳନାରେ

ଊଣା ତବ ଉକ୍ତି, ତୁମ୍ଭ ଗୁଣର ଗରିମା,

କେ ବର୍ଣ୍ଣିବ ଗୁଣବତି, କବିର ଅସାଧ୍ୟ,

ସେ କବିତା ବିରଚନେ ମାର ଏକା କବି ।

 

କେ ଲଙ୍ଘିବ ତ୍ରିସଂସାରେ ତୁମ୍ଭର ଶାସନ

କି ସ୍ଥାବର କି ଜଙ୍ଗମ, କି ଅସାଧ୍ୟ ତବ,

ସନ୍ଧାନିତ ଶର ତବ ଅବ୍ୟର୍ଥ ସର୍ବଥା ।

ତବ ସମ୍ମୋହନ ମନ୍ତ୍ରେ ହୋଇ ସଂଦୀକ୍ଷିତ

ଧାଏଁ ନଦୀ ସିନ୍ଧୁମୁଖେ, ଆନୁଳେ ଆହ୍ୱାନି

ମୃଦୁ କଳ କଳ ସ୍ୱନେ ହୃଦୟ-ବାନ୍ଧବେ ।

 

ଆଲିଙ୍ଗନ କରେ ଲତା ପାଦପେ ନିବିଡ଼େ,

ଖେଳେ ଘନବକ୍ଷେ ବିଦ୍ୟୁ, ଶୋଭା-ସ୍ୱର୍ଣ୍ଣଲତା

ନବ ବୟେ ନବ ଦୀକ୍ଷା ଲଭି ତୁମ୍ଭଠାରୁ

ନବୀନା ମଣ୍ଡଳ, କାନ୍ତେ ଆଣନ୍ତି ସ୍ୱବଶେ ।

 

ତୁମ୍ଭେ ଏକା ଜଗତର ପ୍ରେମ-ଶିକ୍ଷୟତ୍ରୀ

ପ୍ରେମ ତବ କାବ୍ୟ, ଭାବ, ଅର୍ଥ ଅଳଙ୍କାର,

 

ଶିଷ୍ୟା ତବ ଜଗତର ତରୁଣୀନିକର ।

ବହି ତୁମ୍ଭେ ରତି ନାମ, ଚିହ୍ନାଅ ବିଶ୍ୱରେ

ପ୍ରେମ-ହେମ ମୂଲ୍ୟ, ଭାଙ୍ଗ ପକ୍ଷାନ୍ତରେ ପୁଣି

କ୍ଷତିଜନ ଧୌର୍ଯ୍ୟ-ଶୈଳ କରି ରତି ରତି ।

ଅନ୍ୟ ନାମ ମାୟାବତୀ, କେ ଭେଦିବ ମାୟା

ତବ, ହେଉ ବାୟାଧାରୀ ଅଥବା ଅକାୟ ।

 

ଜଗଜ୍ଜୟୀ ସିନା ମାର ତୁମ୍ଭରି ପ୍ରସାଦେ,

ତୁମ୍ଭରି ପ୍ରସାଦେ ନତଶିର ଶତମନ୍ୟୁ

ଫୁଲଧନୁ କତି, ଦେବି, ସତ ମୁଁ ଦୁର୍ଦ୍ଦୟ,

ମାତ୍ର ନତ ତବଠାରେ, ଦାରୁଭେଦୀ ଭୃଙ୍ଗ

ନୁହେଁ କି ପରାସ୍ତ ଧନୀ କଳଳିନୀ କତି ?

 

ଦନ୍ତାବଳ-ସଂହାରକ କେଶରପ୍ରବର,

ପାସୋରେ ବିକ୍ରମ ପ୍ରିୟା କେଶରିଣୀ ପାଶେ;

ଭୁଜଙ୍ଗ ଦୁର୍ବୃତ୍ତ, ଯଥା ଆୟୁପାୟୀ କାଳ,

ମାତ୍ର ସେ ମନ୍ତ୍ରିତ କ୍ଷୁଦ୍ର ଧୁଳିକଣାଠାରେ

ହୀନବୀର୍ଯ୍ୟ, ହୀନବୀର୍ଯ୍ୟ ମହୀଲତା ଯଥା ।

 

ମନ୍ନଥ ମୁଁ, ମନଃ-ସିନ୍ଧୁ ମନ୍ଥନେ ସକ୍ଷମ,

ତୁମ୍ଭେ ସେ ମନ୍ଥନଦଣ୍ଡ ମୋ ଅମୋଘ ଅସ୍ତ୍ର ।

 

ଆମନ୍ତ୍ରିଛ ଯେଉଁ ବିଦ୍ୟା ଶିଖାଇବା ଆଶେ,

ସେ ଅଗୁରୁ ବିଦ୍ୟା ତୁମ୍ଭେ ଶିଖାଇବା ଆଗୁଁ

ସାରିଲାଣି ଶିଖାଇ ତା ପ୍ରେରିତ ପତ୍ରିକା ।

ପାଳିଛି ଶମ୍ବର ମୋତେ, ମରିବ ମୋ ହାତେ,

ବୃକ୍ଷର କୋଟରେ ଯଥା ବଢ଼ି ଉପବୃକ୍ଷ,

ଶୋଷି ତହୁଁ ରସ, ଶେଷେ ନାଶି ମୁଳତରୁ

କରେ ଆତ୍ପରକାଶ, ତଥା ମୁଁ ପାମରେ

ନାଶି ହେଳେ, ହେବି ମୁକ୍ତ, ଭୁଞ୍ଜିବ ଦୁର୍ମତି

ନିଜକୃତ ଦୁଷ୍କୃତିର ଯୋଗ୍ୟ ପ୍ରତିଫଳ ।

 

ଆସି ନାହିଁ ସେ ସମୟ, ଆସୁଛି ନିଶ୍ଚୟ

ଅଦୂର ଭବିଷ୍ୟେ, ସେହି ପୁଣ୍ୟ ଶୁଭ ଦିନେ

ସାଧିବାକୁ ସ୍ୱକର୍ତ୍ତବ୍ୟ ଅଛି ମୁଁ ପ୍ରସ୍ତୁତ,

ବେଳ ଦେଖି ଦାବାନଳ ଦହେ ସିନା ବନ ।

ସହିଛି ବିସ୍ତର ଦୁଃଖ, ତେବେ ସୁଦ୍ଧା ଦେବି,

 

ଅମର-ମୟୂଖ-ମଖା ଶ୍ରୀମୁଖମଣ୍ଡଳେ

ଦେଖି ନାହିଁ ମ୍ଲାନରେଖା, ପ୍ରସନ୍ନ ସେ ସଦା,

ମହତ ମାହାତ୍ମ୍ୟ ସିନା ଦୁଃଖେ ପରୀକ୍ଷିତ,

ଅନଳେ ସୁବର୍ଣ୍ଣ ଯଥା, ହୀରକ ପ୍ରହାରେ * ।

* ଯେଉଁ ହୀରକ ପ୍ରାହାର ସହିପାରେ, ତାହା ବିଶୁଦ୍ଧ ।

 

ଏ ଦୀନ ହୃଦୟରୁପ ପୁଣ୍ୟ ଦେଉଳର

ଅଧିଷ୍ଠାତ୍ରୀ ଦେବୀ ତୁମ୍ଭେ, ପ୍ରାଣର ମିତଣୀ

ମଦନର, କିପାଁ ଅବା ଭଜନ୍ତ ଅସୁରେ ।

ମଧୁ ବ୍ରତ-ପ୍ରଣୟିନୀ କୁସୁମ-ସୁନ୍ଦରୀ

ଇଚ୍ଛେ କି ଗୋ, ମାଛି ସଙ୍ଗ ଭ୍ରମେ ବା ସ୍ୱପନେ ?

ଫୁଟେ ସିନା କମଳିନୀ ରବିକରେ, ମାତ୍ର

ଅନଳେ କମଳ ଫୁଟେ କେ ଦେଖିଛି କାହିଁ ?

 

ତୁମ୍ଭରି ଅବଳା ବଳେ ବଳୀ ଏ ମନ୍ନଥ,

ତୁମ୍ଭରି ପ୍ରସାଦେ ମୁହିଁ ଉର୍ଧୋରେତା ମୁଖୁଁ

ଛଡ଼ାଇଣ ରାମ-ମନ୍ତ୍ର, ଅର୍ପେ କାମମନ୍ତ୍ର

ନାରୀ କି ଅବଳା ସତେ, ହେଉ ସେ ପଛକେ

ଦୈହିକ ବଳରେ ଉଣା, ମାତ୍ର ହୃଦବଳେ,

 

ଧୈର୍ଯ୍ୟ, କ୍ଷମା, ଦୟା, ସ୍ନେହ କୋମଳ ବୃତ୍ତିରେ

ରମଣୀର ସ୍ଥାନ ନିଶ୍ଚେ ପୁରୁଷ ଉପରେ,

ଅନ୍ୟଥା କିପାଇଁ ଜନେ ଉଚ୍ଚାରନ୍ତେ ଭଲା

ଲକ୍ଷ୍ମୀ ପଛେ ନାରାୟଣ, ସୀତା ପଛେ ରାମ ।

 

ଅତୀତ ବିସ୍ମୃତ ସ୍ମୃତି ଦେଇ ଗୋ ଚେତାଇ,

ଚେତାଏ ଯେସନ ଆହ୍ଵା ସବିତାକୁ ଉଷା

ସମୀର ନିଃସ୍ଵନ ଛତେ ଭାଷି ମୃଦୁ ଭାଷା,

ଅର୍ପୁଛି ମୁଁ କୃତଜ୍ଞତା ପ୍ରତିର ଆରତି,

ଘେନ ଗୋ ପ୍ରସନ୍ନେ ତାହା ସୁନ୍ଦରୀ-ବନ୍ଦିତେ !

 

ଯଥାକାଳେ ଯାଇ ତବ ଅଭିସାର ସ୍ଥଳେ

ଭେଟିଣ ତୁମ୍ଭଙ୍କୁ, ଆଗେ ମାଗିନେବି କ୍ଷମା,

ତହିଁ ପଛେ ହେବ ଦୁଷ୍ଟ ବିନାଶ ମନ୍ତ୍ରଣା,

ତୁମ୍ଭରି ମନ୍ତ୍ରଣା ବଳେ ଜଗଜ୍ଜୟୀ ସିନା

କାମଦେବ, ବାମଦେବ-ଯୋଗଭଙ୍ଗା ଅରି ।

ତୁମ୍ଭଙ୍କୁ ସୁଖାଶ୍ରୁନୀରେ କରି ଅଭିଷିକ୍ତ

ହୃଦ-ସ୍ୱର୍ଣ୍ଣ-ସିଂହାସନେ, ହୃଦ-ରାଜ୍ୟ ଦାନେ

ସ୍ଥାପିବି ସମ୍ରାଜ୍ଞୀରୁପେ, ଖଟିବି ସେବାରେ ।

 

କମଳକାମିନୀଙ୍କ ପ୍ରତି କୁମାରନାଥ

 

କି ଭାଷାରେ ସମ୍ବୋଧିବି ତୁମ୍ଭଙ୍କୁ କମଳ,

କରି ଦେଇଅଛି ହାୟ ଦଗଧ ଭାଗ୍ୟ ମୋର

ତୁମ୍ଭଠାରେ ମୋତେ ପର, ଚିରକାଳ ପାଇଁ,

ହୃଦ ଶୁଷ୍କ ନୈରାଶ୍ୟର ଉଚୁଶିଖ ଅନଳେ,

ଅଙ୍କୁରିବ ବାହୁଁ ପ୍ରେମ-ବୀଜ ସୁକୋମଳ ।

ନାହିଁ ଆଶା, ନାହିଁ ଆଉ ମହାଦଗାଦିଆ

ପ୍ରେମର ବାସନା, ସବୁ ହୋଇଛି ଅନ୍ତର,

ଅଛି ଖାଲି ମନେ ପ୍ରାଣେ ଧ୍ୟାନେ ଚତୁର୍ଦ୍ଦିଗେ

ବିରାଟ ଶୁନ୍ୟତା, ଭେଦି ତାହା ବେଳେ ବେଳେ

ଉଠୁଅଛି ଫୁଟି ପୂର୍ବ ଅରୁନ୍ତଦା ସ୍ମୃତି ।

ଏକ ବୃନ୍ତେ ଯୁଗ୍ମ କଢ଼ ଥାଏ ଅବିଚ୍ଛେଦେ,

ଫୁଟିବା ପର୍ଯ୍ୟନ୍ତ, ମାତ୍ର ଫୁଟିଲେ ତା, ତୋଳି-

ନେଇ ଜନେ ସଂଯୋଗନ୍ତି ଦେବଦେବୀ ଦେହେ,

ସେହିଠାରୁ ଭାଙ୍ଗିଯାଏ ଉଭୟର ମେଳ,

ଆମ୍ଭ ବେନି ଭାଗ୍ୟେ ବିହି ବିହିଲା ସେ ଦଶା ।

କେତେ ଆଶା ବାନ୍ଧି ମନେ, କେତେ ଆନନ୍ଦରେ

ଗମେ ଫୁଲ ପାଶେ ଭୃଙ୍ଗି, ନ ଛୁଉଁଣୁ ତାକୁ

କାହୁଁ ଆସି କେଡ଼େ ବେଗେ ଅକାଳ ବତାସ,

ଛିଣ୍ଡାଇ କୁସୁମେ, କରି ଛିନ୍ନଭିନ୍ନ, ଫିଙ୍ଗେ

 

ନେଇ ଦୁରେ, ତଥା ଭୃଙ୍ଗେ ଅର୍ପି ଖଞ୍ଜ ଦଶା,

କରିଣ ଦୁର୍ବଳ ତାକୁ ଘେନିଯାଏ କାହିଁ,

ତେସନ ନିୟତି, କ୍ରୁରା, ଏକବୁଝା ମତି,

କଲା ଆମ୍ଭ ଉଭୟକୁ ହଟହଟା ସିନା !

 

ନିୟତିର ରଥ ହାୟ, ଚଳେ ପ୍ରତିକୁଳେ

ମାନବ ମନୋରଥର, ଭାଙ୍ଗିଦିଏ ବଳେ

ମଧୁର ସମ୍ବନ୍ଧ ପୁଣି ସୁପବିତ୍ର ଭାବ,

ଆବାଲ୍ୟର ଅନୁରାଗ ଆବାଲ୍ୟ ମମତା

ପକାଏ କ୍ଷଣିକେ ଚ୍ଛେଦି, ଅମୋଘ ସନ୍ଧାନେ ।

 

ଶୁଣ ପ୍ରାଣସହି, ମୋର ଦୁର୍ଗତୀ କାହାଣୀ,

ତୁମ୍ଭେ ମୋର ସମଦୁଃଖୀ, ଅତଃ ତୁମ୍ଭ ପାଶେ

ଗାଇଣ ବେଦନା-ଗୀତି, କରିବି ଲାଘବ

ଦୁଃସହ ହୃଦୟ-ଭାର, ଧରି ଏହି ଆଶା

ଆସିଛି ସବୁର ଏହି ତାଳଚେର ରାଜ୍ୟେ ।

 

ନ ଜଣାଇ ତୁମ୍ଭଙ୍କୁ ତା ଲଭେ ମୃତ୍ୟୁ ଯଦି,

ତେବେ ସେ ମରଣେ ସୁଦ୍ଧା ନାହିଁ ମୋର ଶାନ୍ତି,

 

ନିବେଦିଲେ ଦୁଃଖିପାଶେ ଦୁଃଖ,: ଘୁଞ୍ଚିଯାଏ

କ୍ଷୋଭ, ଏହା ଭିନ୍ନ ନାହିଁ ଅପର ଔଷଧ

ଭୈଷଜ୍ୟ ନିଦାନେ, ଦୁଃଖ-ଦାରୁଣ-ବ୍ୟାଧିର ।

 

କାହିଁ କାଂସ୍ୟକାର-କୁନ୍ଦ-ମୃଖର ରେମୁଣା,

କାହିଁ ବା ଏ ତାଳଚେର ହିଙ୍ଗୁଳା-ପାଳିତ,

ଆସିଲି କିରୁପେ ତାହା ନ ଜାଣେ ମୁଁ କିଛି,

ଆଣିଛି ଉଡାଇ ଯେହ୍ନେ କେଉଁ ଉପଦେବ,

ସ୍ୱପ୍ନ ପ୍ରାୟ ଲଗୁଅଛି ମୋତେ ଏ ଘଟଣା ।

 

ଆଣି ନାହିଁ ବିଧି ମୋତେ ଏ ସ୍ଥଳେ ସଜନି,

ଆଣିଛି ତୁମ୍ଭର ପ୍ରେମ ଗଳିଆ ପ୍ରଦାନି,

ପ୍ରେମର ଅଦ୍ଭୁତ ବଳ, ଅଦ୍ଭୁତ କରଣୀ,

ପାରେ ସେ ପଙ୍ଗୁକୁ ତୁଙ୍ଗ ଶିଖରୀ ଲଙ୍ଘାଇ,

ସେହି ପ୍ରେମ କରିଦେଲା ପଥ ଲଘୁ ସଖି,

ଯୋଜନେ ରଖିଲା ଆଣି ଚାଖଣ୍ଡ ମଧ୍ୟ୍ୟରେ,

ସେ ରେମୁଣା, ତାଳଚେର ମିଶି ହେଲା ଏକ,

ଅସାଧ୍ୟ ସାଧନ ଏକା ପ୍ରେମର ଧରମ ।

 

ବାଧା ପାଇ ମନୋରଥ-ପଥେ ଗୁଣବତି,

ନ କର ଅନୁଶୋଚନା, ଯାଏ ଏକ ଆଡ଼େ

ମନୁଷ୍ୟର ଆଶା, ଅନ୍ୟ ଆଡେ ବିଧିଲିପି,

ଏ ବେନିଙ୍କ ମଧ୍ୟେ ହାୟ, ଆଶାୟୀ ଅଦୃଷ୍ଟେ

ନ ମିଳେ ତୃତୀୟ ଠାବ ଗୁଞ୍ଜିବାକୁ ମଥା,

ବୁଡିଯାଏ ଆଶା-ତରୀ ନୈରାଶ୍ୟ-ବାରୀଶେ ।

 

ଶୁଣିଲି ଯେ ଦିନ ତୁମ୍ଭ ବିବାହ-ସମ୍ବାଦ,

ମଣିଲି ସେ ଦିନୁ ରୁଦ୍ଧ ଅଦୃଷ୍ଟର ଦ୍ୱାର

ବଜ୍ର କିଜଣୀରେ, ହାୟ ଇହ ଜୀବନରେ

ନ ଫିଟିବ ଆଉ ତାହା, ହଜିଲା ମୋ ଜ୍ଞାନ,

ଘୁରିଲା ମସ୍ତକ ଘନେ, ଥରିଲା ଶରୀର,

ଘନ ଘନ ଉଠି ପୁଣି ଘନ ଘନ ବସି

 

ଶୋଇଲି କମଳ-ଶେଯେ, ବହିଛି ସେ ଯେଣୁ

ତୁମ୍ଭ ନାମ, ତେଣୁ ଅର୍ପିପାରେ ଶାନ୍ତି; ମାତ୍ର

ହେଲା ବିପରୀତ, ତୀକ୍ଷଣ ଦଳଧାରେ ତାର

ପ୍ରତେ ହେଲା କଳେବର ଚିରିଗଲା ପ୍ରାୟ ।

 

କି ଭାବିଲା, କେଣେ ଗଲା ମନ, ମୋ ଅଜ୍ଞାତେ

କେଉଁ ଅନୁଦ୍ଦେଶ୍ୟ ଦେଶେ, କିଛି କାଳେ ପୁଣି

ଆସିଲାକ ଫେରି ଦେହେ, ଫେରି ଆସେ ଯଥା

ପୋଷା ପକ୍ଷୀ, ଉଡିଯାଇ ପଞ୍ଜରୀ ମଧ୍ୟରୁ

ପୁଣି ପୂର୍ବସ୍ଥାନେ, କ୍ଷତବିକ୍ଷତ ଶରୀରେ ।

 

କ୍ଷିପ୍ତ ମାନସର ଶାନ୍ତି ସମ୍ପାଦନ ଅଶେ

ମଲ୍ଲିକା-ସାଗର-ତୀରେ ହେଲି ଉପସ୍ଥିତ,

ମାତ୍ର ହାୟ, କାହିଁ ଶାନ୍ତ ସାଗର ଦର୍ଶନେ,

ସୁଖର ଅତୀତ ସ୍ମୃତି ଉଠିଲା ଉଚ୍ଛୁଳି ।

ଫୁଟିଛି କମଳ, ବାତେ ବିସ୍ତାରିଛି ଲୀଳା,

ଦେଖି ତା ଭାବିଲି, ହାୟ, ମୋ ପ୍ରାଣ-କମଳ

ରହିଛି ସୁବୁରେ ଯାଇ, ବିଚ୍ଛେଦ-ଶିଶିର

କରି ଜୀବନ୍ମୃତ ତାକୁ ଦହୁଥିବ ସଦା ।

 

ଜାଗିଲା ଦାରୁଣା ସ୍ମୃତି, ବସନ୍ତ ମଧ୍ୟ୍ୟାହ୍ନେ

ଦିନେ, ପ୍ରି୍ୟେ,ତବ ସହ ଭ୍ରମି ସେ ସରସୀ-

କୂଳେ, କଳୁଥିଲି ଶୋଭା ଚଳ-କମଳର,

 

କହିଲି ସୋହାଗେ ଡାକି, ‘‘କମଳକାମିନି,

ଦେଖ ଏ କମଳ ଶୋଭା କେଡେ ରୁଚିକର,’’

ସସ୍ମିତେ କହିଲ, ତୁମ୍ଭେ, ‘‘ସଙ୍ଗେ ଥିଲେ ଅଳି,

ଦିଶନ୍ତା ସୁନ୍ଦରତରା ଅଧିକେ ସୁନ୍ଦରୀ ।’’

 

ଏହା ଭାଷି ଚାହିଁ ଦେଇ ମୋତେ ସୁବଦନି,

ପୋତଇ ତଳକୁ ମଥା, ସଲଜ୍ଜ ଠାଣିରେ ।

ସେହି ଚାରୁ ଚାହାଣିରେ କି ଗଭୀର ରାବ,

କି ସ୍ନେହ ମମତା ପ୍ରୀତି ପଡିଲା ଉଚ୍ଛୁଳି

ଜାଣେ ମୋର ମନ ତାହା, ଜାଣ ତୁମ୍ଭେ ଧନି,

ହୋଇଛି ସେ ସ୍ମୃତି ମୋର ଜୀବନ-ସଙ୍ଖାଳି ।

 

ବସନ୍ତ-ଯୌବନେ ଦିନେ କାନନ ଭ୍ରମଣେ

ଗଲି ତବ ଅନୁରୋଧେ ତୁମ୍ଭରି ସହିତେ,

 

ଚଟୁଳ ଚନ୍ଦ୍ରି କାମଖା ଚାରୁ ଚିତ୍ର ପ୍ରାୟ

ଆଭାସେ କାନନ, ସୌମ୍ୟ ମୌନ ମହିମାରେ ।

ଫୁଟୁଛି ବିବିଧ ଫୁଲ, କେତେ ଫୁଲ ପୁଣି

ପଡିଛି ମୂର୍ଚ୍ଛିତା ହୋଇ ତରୁପଦତଳେ,

 

ଫୁଙ୍କି ତାହା କର୍ଣ୍ଣେ ଧୀରେ ମଧୁର ସମୀର

କରୁଅଛି ଆକିଞ୍ଚନ ଚୈତନ୍ୟ ସଞ୍ଚାରେ ।

 

ପିନ୍ଧାଇଛି ନବ ଭୁଷା ଧବକୁ ମାଧବୀ

ପୁଷ୍ପ କିଶଳୟ ଛଳେ, ବସନ୍ତ-ରଚିତ,

ଦେଖାନ୍ତେ ସେ ଶୋଭା ମୁହିଁ ଅଙ୍ଗଳି ସଙ୍କେତେ

ତୁମ୍ଭଙ୍କୁ ଗୋ ବରାନନେ, ଭାଷିଲ ସସ୍ମିତେ

‘‘ଧବ ବିନା କାହିଁ ଗତି ଧବୀର ଏ ଭବେ,’’

ଅବଧି ସେ ମଞ୍ଜୁ ବାଣୀ ପ୍ରତିଧ୍ୱନିରୁପେ

ବାଜୁଅଛି ସେ କର୍ଣ୍ଣେ ମୋର, କର୍ଣ୍ଣ-ରସାୟନ,

ରହିଛି ସେ ସ୍ୱର୍ଣ୍ଣସ୍ମୃତି ଅଙ୍କିତ ଜୀବନେ ।

 

ଦେଖାଇବି କେତେ ଆଉ ଶୋକ-ନାଟକର

ଫେଡି ଅଙ୍କ ଗର୍ଭାଙ୍କର ଅଭିନୟରାଶି,

ମୋ ଦୁଃଖେ ଦୁଃଖିନୀ ତୁମ୍ଭେ, ସେ ଆକୁଳ-ବାଣୀ

ଶୁଣି ସିନା ହେବ ଘାରି ପ୍ରତିବେଦନାରେ ।

 

ନ ଲାଗିଲା କାହିଁ ମନ, ଭ୍ରମିଲି ଉଦାସେ,

ଆହାର ଶୟନ କିଛି ନ ଲାଗିଲା ସୁଖ,

 

ଦେଖି ମୋର ଭାବାନ୍ତର ପୁଜ୍ୟ ପିତାମାତା

ଇଚ୍ଛିଲେ ଛନ୍ଦିବେ ମୋତେ ପରିଣୟ-ପାଶେ,

ମାତ୍ର ତାହା କାହା ସହ, କେ ଚିହ୍ନେ ତାହାକୁ,

ଅରୁଚିରେ କାହିଁ ତୁଷ୍ଟି, ଭୁଞ୍ଜାଇଲେ ଧରି

ବଳାତ୍କାରେ, ରହିବ କି ସ୍ୱାସ୍ଥ୍ୟ ଅବ୍ୟାହତ ।

 

ଆଶ୍ରିଲି ମୁଁ ତହୁଁ ଯତିବ୍ରତ, ବାହାରିଲି

ଘରୁ, ଧରି ରାମାମନ୍ତ୍ର-ନୁହେଁ ରାମମନ୍ତ୍ର

ବିରହ-ସନ୍ନ୍ୟାସୀ ହୋଇ ଭ୍ରମିଲି ଏକାକୀ ।

ଦୁରନ୍ତ ସମାଜବାଧା କଲା ଏତେ ସରି,

ପ୍ରଦାନନ୍ତି ନିଶ୍ଚେ ତାକୁ ଉପଯୁକ୍ତ ଶିକ୍ଷା,

କି କରିବି ଯାତି ମୁହିଁ, ନିଶିଦ୍ଧ ସର୍ବଥା

ଯତିଧର୍ମେ କ୍ରୋଧ କିମ୍ବା ପ୍ରତିଫଳ ଦାନ ।

ଆସିବ ସ୍ନାନାର୍ଥେ ତୁମ୍ଭେ କାଲି ଏ ସରିତେ

ଅର୍ପିବି ସାକ୍ଷାତେ ତୁମ୍ଭ ପତ୍ରର ଉତ୍ତର ।